ନୂଆଦିଲ୍ଲୀ: ଆତଙ୍କବାଦ ପାକିସ୍ତାନର ରାଷ୍ଟ୍ରନୀତି ପାଲଟିଯାଇଛି ଏବଂ ପାକିସ୍ତାନ ଏବେ ବୈଶ୍ବିକ ଆତଙ୍କର କେନ୍ଦ୍ର ପାଲଟିଛି ବୋଲି ଭାରତ ଲଗାତାର ତଥ୍ୟ ରଖି ଆସୁଥିବା ବେଳେ ଆଜି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ଙ୍କ ବୟାନ ଏହାକୁ ସତ୍ୟ ପ୍ରମାଣିତ କରିଛି। ଏକ ସାକ୍ଷାତକାରରେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ୩ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ତାଲିମ ଦେଇ ଆସୁଛୁ ଏବଂ ସେମାନଙ୍କ ପୋଷଣ ପାଇଁ ପାକିସ୍ତାନ ବହୁତ ମୂଲ୍ୟ ଦେଉଛି। ଆତଙ୍କବାଦୀଙ୍କୁ ତାଲିମ ଦେବା ଏବଂ ଆତଙ୍କୀ ସଂଗଠନମାନଙ୍କୁ ପାକିସ୍ତାନରୁ ସଂଚାଳନ କରିବା ପାଇଁ ସୁଯୋଗ ଦିଆଯାଉଥିବା ନେଇ ଏକ ପ୍ରଶ୍ନରେ ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍‌ କହିଛନ୍ତି, ଆମେ ଆମେରିକା, ବ୍ରିଟେନ ଓ ପଶ୍ଚିମ ରାଷ୍ଟ୍ରମାନଙ୍କ ଚାପରେ ଆତଙ୍କବାଦୀଙ୍କୁ ତାଲିମ, ସୁରକ୍ଷା, ପାଣ୍ଠି ଯୋଗାଣ ଓ ପ୍ରୋତ୍ସାହନ ଦେଇ ଆସୁଛୁ। ୩୦ ବର୍ଷ ଧରି ପାକିସ୍ତାନ ଏହା କରିଆସୁଛି। ସେମାନଙ୍କ (ପଶ୍ଚିମ ରାଷ୍ଟ୍ର) ଚାପରେ ଆମେ ଏହି କାମ ଆରମ୍ଭ କରିଥିଲୁ ଏବଂ ଆମ ପାଇଁ ଏବେ ଏହା ମହଙ୍ଗା ପଡ଼ୁଛି ବୋଲି ସେ କହିଛନ୍ତି। ଏଭଳି ଘୃଣିତ କାର୍ଯ୍ୟ ପାଇଁ ପାକିସ୍ତାନ ମଧ୍ୟ ବଦନାମ   ହୋଇଛି ବୋଲି ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ସ୍ବୀକାର କରିଛନ୍ତି। 

Advertisment

ଆମେରିକା ଓ  ପଶ୍ଚିମ ରାଷ୍ଟ୍ର ଏଥିପାଇଁ ଦାୟୀ
ଆତଙ୍କବାଦୀଙ୍କୁ ପୋଷିବା ବହୁତ ବଡ଼ ବୋଝ
ଭାରତ ସହ ପୂର୍ଣ୍ଣାଙ୍ଗ ଯୁଦ୍ଧ ହୋଇପାରେ

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଏହାର ଅସଲ ଚେହେରାକୁ ବିଶ୍ବ ସମ୍ମୁଖକୁ ଆଣିଥିବା ବେଳେ କେତେକ ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ଏବଂ ପାକ୍‌ ସେନାମୁଖ୍ୟଙ୍କୁ ବୈଶ୍ବିକ ଆତଙ୍କବାଦୀ ଘୋଷଣା କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଭାରତ ସହ ସିମଲା ଚୁକ୍ତି ଓ ଅନ୍ୟାନ୍ୟ ଦ୍ୱିପାକ୍ଷିକ ଚୁକ୍ତିକୁ ସ୍ଥଗିତ ରଖିଛି ଏବଂ ସମସ୍ତ ପ୍ରକାର ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାସହିତ ଭାରତୀୟ ବିମାନ ସେବା ପାଇଁ ନିଜର ଆକାଶପଥ ମଧ୍ୟ ପାକିସ୍ତାନ ବନ୍ଦ କରିଦେଇଛି। 
ସାକ୍ଷାତକାର ସମୟରେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଲସ୍କର-ଏ-ତୋଏବା ଆତଙ୍କୀ ସଂଗଠନ ପାକିସ୍ତାନରୁ କାୟାବିସ୍ତାର କରିଥିବା ପରୋକ୍ଷରେ ସ୍ବୀକାର କରିଥିଲେ। ତେବେ ଭାରତ ଏବେ ପାକିସ୍ତାନ ବିରୋଧରେ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରି ସେ କହିଥିଲେ ଯେ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ହୋଇପାରେ। ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ଥିବାରୁ ଏ ନେଇ ବିଶ୍ୱ ଚିନ୍ତିତ ହେବା ଉଚିତ ବୋଲି ସେ କହିଛନ୍ତି। ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କଲେ ହିଁ ଉଭୟ ପକ୍ଷ ପାଇଁ ମଙ୍ଗଳକର ହେବ ବୋଲି ସେ କହିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ‘ଦି ରେଜିଷ୍ଟେନ୍ସ ଫ୍ରଣ୍ଟ’ (ଟିଆର୍‌ଏଫ୍‌) ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଆସିଫ୍ କହିଛନ୍ତି ଯେ ସେ କେବେ ଏହାର ନାମ ମଧ୍ୟ ଶୁଣି ନାହାନ୍ତି।