ଯାଦବ ମାମଲାରେ ଆଇନର ବାଟ ବନ୍ଦ କରିଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶ ଭୋଗୁଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୂଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନ ସବୁବେଳେ କିଛି ନା’ କିଛି ଚାଲ୍‌ ଖେଳିଆସିଛି। ଏଥର ପୁଣି ପାକିସ୍ତାନ ଦାବି କରୁଛି ଯେ , କୁଳଭୂଷଣ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବାକୁ ଚାହୁନାହାନ୍ତି। ସେ କ୍ଷମା ଆବେଦନ କରିବାକୁ ଚାହୁଛନ୍ତି। ପାକିସ୍ତାନ କୁଳଭୂଷଣଙ୍କ ପାଇଁ ଆଇନଜୀବୀ ନିଯୁକ୍ତ କରିବାପାଇଁ ଇସଲାମାବାଦ୍‌ ହ‌ାଇକୋର୍ଟରେ ଆବେଦନ କରିଥିବା କହିଛି। କିନ୍ତୁ ପାକିସ୍ତାନର ଏଭଳି କାର୍ଯ୍ୟ କେବଳ ଏକ ପ୍ରହସନ ବୋଲି ଭାରତ କହିଛି। ଭାରତ ଅଭିଯୋଗ କରିଛି ଯେ, ପାକିସ୍ତାନ କୁଳଭୂଷଣ ଯାଦବଙ୍କ ପାଇଁ ଥିବା ସମସ୍ତ ଆଇନଗତ ସୁବିଧାରେ ବାଧା ଉପୁଯାଇଛି।

ଏମ୍‌ଇଏ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପାକିସ୍ତାନ ଯାଦବ ମାମଲାରେ ସମସ୍ତ ଆଇନଗତ ସୁବିଧା ବନ୍ଦ କରିଦେଇଛି। ଏହା ଅତ୍ୟନ୍ତ ବିବେକହୀନ କାମ କରୁଛି। କିନ୍ତୁ ଭାରତ ମଧ୍ୟ ଏଦିଗରେ ଆବଶ୍ୟsକାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଶ୍ରୀବାସ୍ତବ କହିଛନ୍ତି। ନିକଟରେ ପାକିସ୍ତାନ କୁଳଭୂଷଣଙ୍କୁ ଦୂତାବାସ ସହାୟତା ଦେଇଥିଲା। କିନ୍ତୁ ଏହି ସମୟରେ ପାକ୍‌ ଅଧିକାରୀ ଉପସ୍ଥିତ ରହିଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଥିଲା। ଜୁଲାଇ ୧୮ ରେ ଭାରତ ଏନେଇ ଏକ ପିଟିସନ୍‌ ଦାଖଲ କରିବାକୁ ଚେଷ୍ଟା କରିଥିଲା ବୋଲି ସେ କହିଛନ୍ତି। ଭାରତର ତୀବ୍ର ପ୍ରତିବାଦ ପରେ ପାକିସ୍ତାନ ପୁଣିଥରେ ପାକ୍‌ ଅଧିକାରୀ ଉପସ୍ଥିତ ନଥାଇ ଯାଦବଙ୍କୁ ଦୂତାବାସ ସହାୟତା ଦେଇଥିଲା।

ସମ୍ବନ୍ଧିତ ଖବର