ପାକ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଜାରି କଲେ ବୟାନ୍‌: ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ପାଇଲଟ୍‌ ଅଭିନନ୍ଦନ

ନୂଆଦିଲ୍ଲୀ : ଗତକାଲି ପାକ୍‌ ସୀମାରେ ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ୍‌ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନିଜ କବ୍‌ଜାକୁ ନେଇଥିଲା ପାକ୍‌ ସେନା । ଏହା ପରେ ପାକ୍‌ ସେନା ତରଫରୁ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରା ଯାଇଥିଲା । ଗୋଟିଏ ଭିଡିଓରେ ପାଇଲଟ୍‌ଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରୁଥିବା ବେଳେ ପାକ୍‌ ସେନା ବଞ୍ଚାଇ ନିଜ କବ୍‌ଜାକୁ ନେଇଥିବା ଦେଖାଯାଇଥିଲା । ଏହା ପରେ ପାଇଲଟ୍‌ ଅଭିନନ୍ଦନଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଚା’ କପ୍‌ ଧରି ବସିଥିବା ବେଳେ ତାଙ୍କୁ ପାକ୍‌ ସେନା ପଚାଉଚରା କରୁଥିବା ଦେଖା ଯାଇଥିଲା ।

ଭିଡିଓରେ ପାଇଲଟ୍‌ ଅଭିନନ୍ଦନଙ୍କ ଅବସ୍ଥା ଦେଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଲଟ୍‌ ଅଭିନନ୍ଦନଙ୍କ ସହ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ପାକ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛନ୍ତି । ପାଇଲଟ୍‌ ଅଭିନନ୍ଦନଙ୍କ ପ୍ରତି ହିଂସାତ୍ମକ ଆଚରଣ ଏବଂ ଗଣମାଧ୍ୟମରେ ତାଙ୍କର ଭିଡିଓ ପ୍ରଦର୍ଶନକୁ କଡ଼ା ବିରୋଧ କରିଥିଲା ଭାରତ । ଏହା ଜେନିଭା କନଭେନ୍‌ସନ ଏବଂ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଭାରତ ଦାବି କରିଥିବା ବେଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ଅଭିଯୋଗକୁ ଖଣ୍ଡନ କରି ପାଇଲଟ୍‌ ଅଭିନନ୍ଦନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା କହିଛି ପାକ୍‌ ପ୍ରତିରକ୍ଷା ମନ୍ତ୍ରାଳୟ । ପାଇଲଟ୍‌ ଅଭିନନ୍ଦନଙ୍କ ପ୍ରତି କୌଣସି ହିଂସାତ୍ମକ ଆଚରଣ ହୋଇ ନ ଥିବା ପାକ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛି । ଏହା ସହ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବାକୁ ନେଇ ନିଜର ମତ ରଖିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କୁରେଶି ।

oneindia.com

ତାଙ୍କ କହିବା ଅନୁଯାୟୀ, ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ଭାରତ-ପାକ୍‌ ମଧ୍ୟରେ ପରିସ୍ଥିତି ସମାନ୍ୟ ହେବା ପରେ ହିଁ ଆମେ ତାଙ୍କୁ ଛାଡ଼ିବା ନେଇ ଚିନ୍ତା କରିବୁ । ଆମର ପାଇଲଟ୍‌ ଅଭିନନ୍ଦନଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ତାଙ୍କର ଯାହା ଦରକାର ଆମେ ତାଙ୍କୁ ଯୋଗାଇ ଦେବୁ । ପରିସ୍ଥିତିକୁ ସୁଧାରିବା ପାଇଁ ଯାହା ଦରକାର ଆମେ ତାହା କରିବୁ ବୋଲି କହିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କୁରେଶି ।

ସମ୍ବନ୍ଧିତ ଖବର