ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନ ଆଖିଦୃଷ୍ଟିଆ ପଦକ୍ଷେପ ନେଇଛି : ଚୀନ

ବେଜିଂ : ଅନ୍ତର୍ଜାତୀୟ ସ୍ତରରେ ଚୀନ ସବୁବେଳେ ପାକିସ୍ତାନର କଳାକାରନାମାକୁ ଘଣ୍ଟ ଘୋଡ଼ାଇ ଆସୁଛି । ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ରେ ମଧ୍ୟ ଚୀନ ପାକିସ୍ତାନକୁ ସୁରକ୍ଷା ଦେଉଛି । ଚୀନର ବିରୋଧ କାରଣରୁ ହିଁ ଏଫଏଟିଏଫ ପକ୍ଷରୁ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯାଇପାରୁନାହିଁ ।

ଫେବ୍ରୁଆରି ମାସରେ ଏଫଏଟିଏଫର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ । କିନ୍ତୁ ଏହା ପୂର୍ବରୁ ଚୀନ କହିଛି ଯେ ପାକିସ୍ତାନ ଆତଙ୍କବାଦକୁ ଅର୍ଥ ଯୋଗାଣକୁ ରୋକିବା ଦିଗରେ ଆଖିଦୃଷ୍ଟିଆ ପଦକ୍ଷେପ ନେଇଛି । ବିଶ୍ୱ ସମୁଦାୟ ଏହାକୁ ଉତ୍ସାହିତ କରିବା ଆବଶ୍ୟକ । ଚୀନ ଏବେ ଏଫଏଟିଫର ଅଧ୍ୟକ୍ଷ ରହିଛି । ଚୀନର ଏହି ବକ୍ତବ୍ୟରୁ ଜଣାପଡ଼ୁଛି ଯେ ପାକିସ୍ତାନ ବିରୁଦ୍ଧରେ ଏଫଏଟିଏଫରେ ସେଭଳି କୌଣସି ବଡ଼ ପଦକ୍ଷେପ ନିଆଯିବ ନାହିଁ ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂଷର) ତାଲିକାରେ ରଖିଛି । ଗତ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବ୍ରୁଆରି ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

ଗତବର୍ଷ ଜୁନରେ ହୋଇଥିବା ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତ ଏଫଏଟିଏଫ ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଥିଲା । କିନ୍ତୁ ଏହି ୨୭ ସୁତ୍ରୀ କାର୍ଯ୍ୟ କରିବାରେ ପାକିସ୍ତାନ ବିଫଳ ହୋଇଥିଲା । ଫଳରେ ପାକିସ୍ତାନକୁ ଚେତାବନୀ ଦିଆଯାଇ ଫେବ୍ରୁଆରି ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର