ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ଇମ୍ରାନ୍‌ଙ୍କୁ ଭାରତର କଡ଼ା ଜବାବ: ପାକିସ୍ତାନ ତୁରନ୍ତ ପିଓକେ ଛାଡ଼ୁ

ନୂଆଦିଲ୍ଲୀ : ପାକିସ୍ତାନ ଏହାର ଚିରାଚରିତ ଢଙ୍ଗରେ ଆଜି ଜାତିସଂଘ‌ରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନର ଏଭଳି ପ୍ରୟାସ ବିରୋଧରେ ଭାରତ ତୀବ୍ର ପ୍ରତିକ୍ରିୟା ରଖିଛି ଏବଂ ସମସ୍ତ ମିଥ୍ୟା ଅଭିଯୋଗର କଡ଼ା ଜବାବ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜାତିସଂଘରେ ଉଦ୍‌ବୋଧନ ଦେବା ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଭାରତ ଏହାର ଜବାବ ଦେବାସହ ପାକିସ୍ତାନକୁ ତୁରନ୍ତ ପିଓକେ (ପାକ୍‌ ଅଧିକୃତ କାଶ୍ମୀର) ଛାଡ଼ିବାପାଇଁ କହିଛି। ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ଆଜି ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ଦୁବେ କହିଛନ୍ତି, ପାକିସ୍ତାନର ଆତଙ୍କବାଦୀଙ୍କୁ ସକ୍ରିୟ ଭାବେ ସହଯୋଗ କରିବା କଥା ବିଶ୍ବ ସମୁଦାୟ ଜାଣିଛି। ଆତଙ୍କବାଦକୁ ନୀତି କରିଥିବା ପାକିସ୍ତାନ ବିଭ୍ରାନ୍ତି ବନ୍ଦ କରି ତୁରନ୍ତ ପିଓକେ (ପାକ୍‌ ଅଧୀକୃତ କାଶ୍ମୀର) ଛାଡ଼ିଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପାକିସ୍ତାନ ବାରମ୍ବାର ଜାତିସଂଘ ମଞ୍ଚର ଦୁରୁପଯୋଗ କରି ଭାରତ ବିରୋଧରେ ମିଥ୍ୟା ଖବର ପ୍ରଚାର କରୁଛି। ପାକିସ୍ତାନ ଏଭଳି କରି ନିଜ ରାଷ୍ଟ୍ର ଦୟଦୀୟ ସ୍ଥିତି ଉପରୁ ବିଶ୍ବର ନଜର ହଟାଇବାକୁ ଉଦ୍ୟମ କରୁଛି। ଆତଙ୍କବାଦୀମାନେ ଏଠାରେ ଅବାଧ ବିଚରଣ କରୁଛନ୍ତି ଏବଂ ସାଧାରଣ ଲୋକଙ୍କ ଜୀବନ ବିଶେଷ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ଜୀବନ ବ୍ୟତିବ୍ୟସ୍ତ ହୋଇଯାଇଛି। ନିଆଁ ଲଗାଉଥିବା ରାଷ୍ଟ୍ର ଏବେ ନିଆଁ ଲିଭାଳି ବେଶରେ ଆସି ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଛି ବୋଲି କହି ଇମ୍ରାନଙ୍କୁ ଦୁବେ କଡ଼ା ସମାଲୋଚନା କରିଛନ୍ତି।

ତେବେ ପାକିସ୍ତାନ ସକ୍ରିୟ ଭାବେ ଆତଙ୍କବାଦୀଙ୍କୁ ସହଯୋଗ କରୁଛି ଏବଂ ଏହା ଜାତିସଂଘ‌ରେ ସଦସ୍ୟ ରାଷ୍ଟ୍ରମାନେ ଜାଣିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି, ତାଲିମ ଦେଉଛି, ଆର୍ଥିକ ଭାବେ ସୁଦୃଢ଼ କରୁଛି ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଜାତିସଂଘରେ ଇମ୍ରାନ୍‌ ଭର୍ଚୁଆଲ୍‌ ଉଦ୍‌ବୋଧନରେ କାଶ୍ମୀରରେ ମାନବାଧିକାର ପ୍ରସଙ୍ଗ ଉଠାଇ ଭାରତକୁ ଦାୟୀ କରିଥିଲେ। ଜମ୍ମୁ କାଶ୍ମୀର ବିବା‌ଦର ସମାଧାନ ଭାରତ ସହ ସ୍ଥାୟୀ ଶାନ୍ତି ଉପରେ ନିର୍ଭର କରୁଛି ବୋଲି ସେ କହିଥିଲେ। ଏହାର କଡ଼ା ଜବାବ ଦେଇ ଦୁବେ କହିଛନ୍ତି, ସମଗ୍ର ଜମ୍ମୁ କାଶ୍ମୀର ଏବଂ ଲଦାଖ ସବୁବେ‌ଳେ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ପାକିସ୍ତାନ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ନିଷ୍ଠୁର ଆଚରଣ ଦେଖାଉଥିବା ଦୁର୍ବେ ଏହାର ସମାଲୋଚନା କରିଛନ୍ତି । ପାକିସ୍ତାନରେ ଶିଖ୍‌, ହିନ୍ଦୁ, ଖ୍ରିଷ୍ଟିଆନ୍‌ଙ୍କ ପରି ସଂଖ୍ୟାଲଘୁ ସମ୍ପ୍ରଦାୟମାନେ ସର୍ବଦା ଆତଙ୍କିତ ହୋଇ ରହୁଛନ୍ତି। ସେମାନଙ୍କ ଅଧିକାରକୁ ଦବାଇ ଦିଆଯାଇଛି। ଦୁବେ କହିଛନ୍ତି, ଭାରତ ପାକିସ୍ତାନ ସମେତ ଏହାର ସମସ୍ତ ସମସ୍ତ ପଡ଼ୋଶୀମାନଙ୍କ ସହ ସାଧାରଣ ସମ୍ପର୍କ ଚ‌ାହେ। କିନ୍ତୁ ଅନୁକୂଳ ପରିସ୍ଥିତି ପାଇଁ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା କାର୍ଯ୍ୟ ବନ୍ଦ ହିଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର