ବାୟୁସୀମା ଉଲ୍ଲଂଘନ କଲା ପାକିସ୍ତାନ

ଏଲ୍‌ଓସିର ତିନିଶହ ମିଟର ଭିତରେ ହେଲିକପ୍ଟର, ଭାରତର ପ୍ରତିବାଦ

ଶ୍ରୀନଗର :  ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ଅଂଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଆଜି ପାକିସ୍ତାନ  ୩ ଘଣ୍ଟା ବ୍ୟବଧାନରେ ୨ ଥର ବାୟୁସୀମା ଉଲ୍ଲଂଘନ କରିଛି।   ପାକିସ୍ତାନୀ ସେନାର ୩ଟି ଏମ୍‌ଆଇ-୭ ହେଲିକପ୍‌ଟର ନିୟନ୍ତ୍ରଣ ରେଖାର ୩ ଶହ ମିଟର ଭିତରେ ଉଡ଼ୁଥିବା ପୂର୍ବାହ୍ନ ୧୦ଟା ବେଳେ ଜଣାପଡ଼ିଥିଲା। ପୁଣିଥରେ ଅପରାହ୍ନ ୧ଟାରୁ ସାଢ଼େ ୧ଟା ମଧ୍ୟରେ ଆଉ ଏକ ପାକ୍‌ ହେଲିକପ୍‌ଟର ବାୟୁସୀମା ଅତିକ୍ରମଣ କରିଥିଲା। ଏଲ୍‌ଓସିରେ ପାକ୍‌ ବାୟୁସେନାର ଏଭଳି କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ାଇବ। ଭାରତ ଏହାର ପ୍ରତିବାଦ ଜଣାଥିବା ପ୍ରକାଶ।

ନିୟନ୍ତ୍ରଣ ରେଖାରେ ହେଲିକପ୍‌ଟର ଓ ବିମାନ ଉଡ଼ାଣ ସଂକ୍ରାନ୍ତ ଉଭୟ ପକ୍ଷର ବୁଝାମଣାକୁ ଉଲ୍ଲଂଘନ କରି  ପାକିସ୍ତାନ ଏହି ଉଡ଼ାଣ କରିଥିବାରୁ ଭାରତ ଏହାକୁ ଗମ୍ଭୀରତାର ସହ ନେଇଛି । ନିୟମ ମୁତାବକ ଉଭୟ ପକ୍ଷର କୌଣସି  ହେଲିକପ୍‌ଟର ନିୟନ୍ତ୍ରଣ ରେଖାର  ଗୋଟିଏ କିମି  ଭିତରେ ଉଡ଼ାଣ କରିପାରିବ ନାହିଁ ଏବଂ ବିମାନ କ୍ଷେତ୍ରରେ ଏହାର କଟକଣା ପରିସୀମା ହେଉଛି ୧୦ କିମି।

ଆଜି ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାର  ଗୁଲପୁର ସେକ୍ଟରରେ ପୂର୍ବାହ୍ନ ୯ଟା ୪୫ରୁ ୧୦ଟା ମଧ୍ୟରେ  ପାକିସ୍ତାନର ୩ଟି ଏମ୍‌୍‌ଆଇ-୧୭ ହେଲିକପ୍‌୍‌ଟର ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ

ତତ୍‌କ୍ଷଣାତ  ପଦକ୍ଷେପ ନିଆଯାଇ ସମସ୍ତ ଆଗୁଆ ପୋଷ୍ଟଗୁଡ଼ିକୁ ସତର୍କ କରାଇ ଦିଆଯାଇଥିଲା। ତେବେ ଦ୍ୱିତୀୟ ଥର ବାୟୁସୀମା ଉଲ୍ଲଂଘନ ପରେ ଏହା ପାକିସ୍ତାନର ଉଦ୍ଦେଶ୍ୟମୂଳକ ଆଚରଣ ବୋଲି ସ୍ପଷ୍ଟ ହୋଇଯାଇଛି।   ଉଭୟ ପକ୍ଷରୁ ଏହି ସମୟ ମଧ୍ୟରେ କୌଣସି ଗୁଳି ବିନିମୟ କିମ୍ବା ଅନ୍ୟ ଆକ୍ରମଣ ହୋଇନଥିଲା। ଏହି ମାମଲାରେ ପାକ୍‌ ସେନା ପକ୍ଷରୁ ସଫେଇରେ କୁହାଯାଇଛି ଯେ  ନିୟନ୍ତ୍ରଣ ରେଖା ଅଂଚଳରେ ନିଜର ପୋଷ୍ଟ୍‍ ସ୍ଥିତି ଅନୁଧ୍ୟାନ ପାଇଁ ହେଲିକପ୍‌୍‌ଟର ନିୟୋଜିତ କରାଯାଇଥିଲା ଏବଂ ଏହା ନିର୍ଦ୍ଧାରିତ ସୀମା ଭିତରେ ହିଁ ରହିଥିଲା। ତେବେ ଭାରତ ଏହି ମାମଲାର ଯାଞ୍ଚ ପରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବ ଏବଂ ଏଲ୍‌୍‌ଓସି ସଂକ୍ରାନ୍ତ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ ପରିପ୍ରେକ୍ଷୀରେ ସୁରକ୍ଷା ପାଇଁ ଯାହାକିଛି ଆବଶ୍ୟକ କରାଯିବ ସେନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର