ଚୀନ୍‌ ଦୟାରେ ପାକିସ୍ତାନ

ସବୁ କଥା ପାଇଁ ଚୀନ୍‌ ହିଁ ଭରସା

ନୂଆଦିଲ୍ଲୀ: ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର ବାହାନାରେ ଚୀନ୍‌ ଏବେ ପାକିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ପାକିସ୍ତାନର ସାମାଜିକ, ଆର୍ଥିକ ଓ ସାମରିକ କ୍ଷେତ୍ରରେ ବିପୁଳ ପୁଂଜି ନିବେଶ କରିବା ସହ ପାକିସ୍ତାନକୁ ପ୍ରତିଟି ପଦକ୍ଷେପରେ ସହାୟତା ଯୋଗାଇ ଚୀନ୍‌ ଏବେ ଏହି ମୁସ୍‌୍‌ଲିମ ରାଷ୍ଟ୍ରକୁ ନିଜର ଉପନିବେଶରେ ପରିଣତ କରିବାକୁ ଚାହୁଛି। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ, ଆର୍ଥିକ ସହାୟତା ଓ ତାଲିମ ଦେଉଥିବା ପାକିସ୍ତାନ ଏବେ ବିଶ୍ୱ ସମୁଦାୟରେ ଏକଘରିଆ ହୋଇଯାଇଥିବା ବେଳେ ଏହି ସୁଯୋଗରେ ପାକିସ୍ତାନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚୀନ୍‌ ଯୋଜନାବଦ୍ଧ ପ୍ରୟାସ ଜାରି ରଖିଛି ବୋଲି ‘ୟୁରୋପିଆନ ଫାଉଣ୍ଡେସନ ଫର୍‌ ସାଉଥ୍‌୍‌ ଏସିଆ ଷ୍ଟଡିଜ୍‌’ (ଇଏଫ୍‌୍‌ଏସ୍‌ଏଏସ୍‌) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି। ବିଶ୍ୱର ଅନ୍ୟତମ ଜଣାଶୁଣା ଚିନ୍ତନ ଗୋଷ୍ଠୀ ଭାବେ ପରିଚିତ ଇଏଫ୍‌୍‌ଏସ୍‌ଏଏସ୍‌ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନକୁ ଚୀନ୍‌ ଗୋଟିଏ ପଟେ ବିପୁଳ ଋଣ ଯୋଗାଇ ଦେବା ସହ ଅନ୍ୟପଟେ ଭିତ୍ତିଭୂମି ବିକାଶରେ ସିଧାସଳଖ ପୁଂଜି ନିବେଶ କରୁଛି। ପାକିସ୍ତାନକୁ ଆର୍ଥିକ ଓ ସାମରିକ ସହାୟତା ଦେବା ସହ ନିଜେ ପ୍ରତ୍ୟକ୍ଷ ଭାବେ ନିର୍ମାଣ କାର୍ଯ୍ୟରେ ନିଜର କର୍ମଚାରୀ ଓ ଅଧିକାରୀଙ୍କୁ ନିୟୋଜିତ କରି ଧୀରେ ଧୀରେ ନିଜର ପ୍ରଭାବ ବଢ଼ାଇ ଚାଲିଛି। ପାକିସ୍ତାନର ବିଭିନ୍ନ ଜଳଭଣ୍ଡାର, ବିଦ୍ୟୁତ ଉତ୍ପାଦନ ଏବଂ ଶିଳ୍ପ ବିକାଶରେ ଚୀନ୍‌ ସିଧାସଳଖ ନିୟୋଜିତ ରହି ପାକିସ୍ତାନକୁ ମାତ୍ରାଧିକ ନିର୍ଭରଶୀଳ କରିଦେଇଛି। ଏହା ବ୍ୟତୀତ ପାକିସ୍ତାନରେ ଦୈନନ୍ଦିନ ବଜାର ବ୍ୟବସ୍ଥାରେ ମଧ୍ୟ ଚୀନ୍‌ର ଆଧିପତ୍ୟ ବଢ଼ିଚାଲିଛି। ଏଭଳି ସ୍ଥିତି ଲାଗି ରହିଲେ ପାକିସ୍ତାନ ଚୀନ୍‌ର ଏକ ଉପନିବେଶ ପାଲଟିଯିବ ଏବଂ ଏହା ସବୁକଥାରେ ଚୀନ୍‌ର ହାତବାରିସି ହୋଇ କାର୍ଯ୍ୟକରିବ। ପାକିସ୍ତାନରେ ବିଭିନ୍ନ ସାମାଜିକ ଗୋଷ୍ଠୀ ଚୀନ୍‌ର ଆଧିପତ୍ୟ ବିସ୍ତାରକୁ ବିରୋଧ କରୁଥିଲେ ମଧ୍ୟ ସରକାର ଓ ସେନାର ଚାପରେ ସେମାନଙ୍କ ସ୍ୱର ଦବି ଯାଉଛି। ପାକିସ୍ତାନ ସ୍ୱଇଚ୍ଛାରେ ଚୀନ୍‌ର ଜାଲରେ ଧରା ଦେଇଥିବାରୁ ଏବେ ଏହା ପଛକୁ ଫେରିବାକୁ ବାଟ ପାଉନାହିଁ ବୋଲି କୁହାଯାଉଛି। ଚୀନ୍‌-ପାକିସ୍ତାନ ଆର୍ଥିକ କରିଡରକୁ ନେଇ ଭାରତର ଜୋର୍‌ଦାର ବିରୋଧକୁ ଚୀନ୍‌ ଏବେ ଭୃକ୍ଷେପ କରୁନାହିଁ ଏବଂ ପାକ୍‌ ଅଧିକୃତ କଶ୍ମୀରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସିପିଇସି ବାହାନାରେ ଚୀନ୍‌ର ଜୁଲମ୍‌ ମଧ୍ୟ ବଢ଼ିଯାଇଛି। ଚୀନ୍‌ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ପାକ୍‌ ସେନା ଅହରହ ନିୟୋଜିତ ଥିବା ବେଳେ ନିଜ ଲୋକଙ୍କ ଉପରେ ଜୁଲମ୍‌ କରିଚାଲିଛନ୍ତି। ପାକିସ୍ତାନରେ ରହୁଥିବା ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାଠାରୁ ଆରମ୍ଭ କରି ଏହାର ରାଜନୈତିକ ବ୍ୟାପାର ପର୍ଯ୍ୟନ୍ତ ସବୁଥିରେ ଚୀନ୍‌ର ହସ୍ତକ୍ଷେପ ଏବେ ଦେଖିବାକୁ ମିଳିଛି। ସାମୟିକ ଓ ସୀମିତ ସ୍ୱାର୍ଥ ପାଇଁ ପାକିସ୍ତାନ ନେତୃତ୍ୱ ଚୀନ୍‌ର ପ୍ରତିଟି କଥାରେ ଏବେ ସ୍ୱର ମିଳାଇ ଚାଲିଥିବାରୁ ଆଗକୁ ଏହା ଦେଶପାଇଁ ଭୟଙ୍କର ବିପଦର କାରଣ ହେବ ଏବଂ ପାକିସ୍ତାନ ନିଜର ସବୁ ପତିଆରା ହରାଇ ବସିବ ବୋଲି କୁହାଯାଇଛି । ଏବେ ପାକିସ୍ତାନ ଅନ୍ତର୍ଜାତୀୟ ବଜାରର ସ୍ଥିତି ସହିତ ନିଜକୁ ଖାପ ଖୁଆଇ କୌଣସି ପଦକ୍ଷେପ ନେଇପାରୁ ନାହିଁ।

ସମ୍ବନ୍ଧିତ ଖବର