କରାଚି: ପାକିସ୍ଥାନର ଏକ ସରକାରୀ ଡାକ୍ତରଖାନାର କର୍ମଚାରୀମାନେ ଏକ ନବଜାତ ଶିଶୁର ମୁଣ୍ଡ କାଟି ମା’ର ଗର୍ଭରେ ଛାଡି ଦେବା ଖବର ଏବେ ଚର୍ଚ୍ଚାରେ ରହିଛି। ଏହି ଘଟଣା ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଥିବା ବେଳେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ମୁତାବକ, ତରପରକର ଜିଲ୍ଲାର ଏକ ସୁଦୂର ଗାଁର ୩୨ବର୍ଷ ବୟସ୍କା ଗର୍ଭବତୀ ହିନ୍ଦୁ ମହିଳା ତାଙ୍କ ଅଞ୍ଚଳର ଏକ ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସବ ପାଇଁ ଯାଇଥିଲେ। କିନ୍ତୁ ସେଠାରେ କୌଣସି ମହିଳା ଡାକ୍ତର ଉପଲବ୍ଧ ନଥିବାରୁ ଅଭିଜ୍ଞତା ନଥିବା କର୍ମଚାରୀମାନେ ମହିଳାଙ୍କର ପ୍ରସବ କରାଇଥିଲେ। ରବିବାର ଦିନ ପ୍ରସବ କରିବା ପରେ ଅଭିଜ୍ଞତା ନଥିବା କର୍ମଚାରୀମାନେ ଗର୍ଭରେ ହିଁ ଶିଶୁର ମୁଣ୍ଡ କାଟି ଦେଇଥିଲେ ବୋଲି ଜଣାପଡ଼ିଛି। ଜମଶୋରୋର ଲିଆକତ ୟୁନିଭରସିଟି ଅଫ୍ ମେଡିକାଲ ଆଣ୍ଡ ହେଲଥ ସାଇନ୍ସର ମୁଖ୍ୟ ପ୍ରଫେସର ରାହିଲ ସିକନ୍ଦର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଗର୍ଭରେ ଶିଶୁର ମୁଣ୍ଡ କାଟିବା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମିଠି ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଚିକିତ୍ସା ପାଇଁ କୌଣସି ସୁବିଧା ନଥିଲା। ଶେଷରେ, ତାଙ୍କ ପରିବାର ତାଙ୍କୁ ଲିଆକତ ୟୁନିଭରସିଟି ଅଫ୍ ମେଡିକାଲ ଆଣ୍ଡ ହେଲଥ ସାଇନ୍ସକୁ ନେଇଥିଲେ, ଯେଉଁଠାରେ ନବଜାତ ଶିଶୁର ମୃତଦେହକୁ ଗର୍ଭରୁ ବାହାର କରାଯାଇଥିଲା ଏବଂ ମହିଳାଙ୍କ ଜୀବନ ରକ୍ଷା କରାଯାଇଥିଲା। ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଯାଞ୍ଚ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/t-30.jpg)