ଅଣୁ ଅସ୍ତ୍ର କ୍ଷମତା ବଢ଼ାଉଛି ପାକିସ୍ତାନ

ଭାରତକୁ ସତର୍କ କରାଇଲା ଆମେରିକା

ନୂଆଦିଲ୍ଲୀ ପାକିସ୍ତାନ ଅଳ୍ପ ଦୂରତା ବିଶିଷ୍ଟ କ୍ଷୁଦ୍ର କ୍ଷେପଣାସ୍ତ୍ର ସମେତ ବିଭିନ୍ନ ପରମାଣୁ ଅସ୍ତ୍ରର ବିକାଶ କରୁଛି। କ୍ଷୁଦ୍ର ପରମାଣୁ ଅସ୍ତ୍ରର ବିକାଶ ଭାରତକୁ ଲକ୍ଷ୍ୟରେ ରଖି କରାଯାଉଥିବାରୁ ଏହା ସମଗ୍ର ଦକ୍ଷିଣ ଏସିଆକୁ ଅସ୍ଥିରତା ଭିତରକୁ ଟାଣିନେବ ବୋଲି ଆମେରିକା ଗୁଇନ୍ଦା ମୁଖ୍ୟ ଡ୍ୟାନ୍‌ କୋଟସ୍‌ କହିଛନ୍ତି। ଓ୍ଵାସିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଡ୍ୟାନ୍‌ କୋଟ୍‌ସ୍‌ ଏହି ସତର୍କବାଣୀ ଶୁଣାଇଛନ୍ତି। ଭାରତକୁ ନେଇ ପାକିସ୍ତାନର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବାର ନାହିଁ। ତେଣୁ ଏହା ଭାରତ ପାଇଁ ନିଶ୍ଚିତଭାବେ ଏକ ବିପଦ ସଙ୍କେତ ବୋଲି ସେ କହିଛନ୍ତି। ଭାରତରେ ପାକ୍‌ ଆତଙ୍କବାଦୀଙ୍କ ଆକ୍ରମଣ ଆଗକୁ ମଧ୍ୟ ଜାରି ରହିବ ବୋଲି ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି। ଅନ୍ୟପଟେ ଚୀନ୍‌ ଓ ରୁଷ୍‌ର ସାମରିକ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଏଥିଯୋଗୁଁ ଆମେରିକାର ପ୍ରଭାବ ମଧ୍ୟ ଗୌଣ ହେବ ବୋଲି କୋଟ୍‌୍‌ସ କହିଛନ୍ତି।

ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଭୂସ୍ୱର୍ଗ ପାଲଟିଥିବାରୁ ସେମାନେ ଭାରତ, ଆଫଗାନିସ୍ତାନ ସମେତ ଆମେରିକା ସମର୍ଥିତ ରାଷ୍ଟ୍ରଗୁଡ଼ିକରେ ଆତଙ୍କ ଖେଳାଇବା ପାଇଁ ସବୁ ସହାୟତା ପାଉଛନ୍ତି । ଏଭଳି ସ୍ଥିତିରେ ଆତଙ୍କବାଦକୁ ରୋକିବା ପାଇଁ ମିଳିତ ପ୍ରୟାସ ଲୋଡ଼ା ବୋଲି କୋଟ୍‌ସ୍‌ କହିଛନ୍ତି। ନିକଟରେ ଜମ୍ମୁ-କଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣ ଚାଲିଥିବା ବେଳେ ଆଗକୁ ମଧ୍ୟ ଏହି ଧାରା ଅପରିବର୍ତ୍ତିତ ରହିବ ବୋଲି ସେ କହିଛନ୍ତି। ଆଗକୁ ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଶକ୍ତିକୁ ଅଧିକ ସୁଦୃଢ କରିବା ସହ ଚୀନ୍‌ର ନିକଟତର ମଧ୍ୟ ହେବ। ଆତଙ୍କବାଦୀଙ୍କ ସହ ବନ୍ଧୁତାକୁ ଆହୁରି ମଜବୁତ କରି ଆମେରିକା ସମର୍ଥିତ ରାଷ୍ଟ୍ରଙ୍କ ଉପରେ ଆକ୍ରମଣ କରାଇବ। ଯଦିଓ ପାକିସ୍ତାନକୁ ଆମେରିକା ଆର୍ଥିକ ସହାୟତାର ମୋହ ଦେଖାଇ ବିଭିନ୍ନ ଆତଙ୍କବାଦୀ ସଂଗଠନଙ୍କୁ ନିପାତ କରିବାକୁ ଚାପ ପ୍ରୟୋଗ କରୁଛି,ତଥାପି ଏହା ସେତେଟା ଫଳପ୍ରଦ ହୋଇପାରୁ ନାହିଁ। ଯଦି ଲଗାତାର ଏଭଳି ଆତଙ୍କବାଦୀ ଆକ୍ରମଣ ଜାରି ରୁହେ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ନିଶ୍ଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର