ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନା ସ୍ଥିତି ଭିତରେ ପାକିସ୍ତାନକୁ ଜାତିସଂଘରେ ‌ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଗତକାଲି ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ନାନା କୌଶଳ ଅବଲମ୍ବନ କରିଥିଲା। ତେବେ ୧୫ଟି ରାଷ୍ଟ୍ର ସଦସ୍ୟ ଥିବା ସୁରକ୍ଷା ପରିଷଦ ବୈଠକରେ ୧୩ଟି ରାଷ୍ଟ୍ର ପାକିସ୍ତାନର ଭୂମିକା ଏବଂ ଭାରତ ବିରୋଧରେ ଷଡ୍‌ଯନ୍ତ୍ର ନେଇ ପ୍ରଶ୍ନ ଉଠାଇଥିଲେ। ବୈଠକରେ ବର୍ତ୍ତମାନର ଯୁଦ୍ଧ ଉତ୍ତେଜନା ପାଇଁ ଭାରତକୁ ଦାୟୀ କରିବାକୁ ସଦସ୍ୟ ରାଷ୍ଟ୍ରମାନେ ମନା କରିବା ସହ ଏହି ପ୍ରସଙ୍ଗରେ କୌଣସି ବିବୃତି ଜାରି ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସୂଚନାଯୋଗ୍ୟ, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ଏବଂ ଏହା ବର୍ତ୍ତମାନର ଭାରତ-ପାକ୍‌ ଉତ୍ତେଜନା ସ୍ଥିତି ଉପରେ ଏକ ରୁଦ୍ଧଦ୍ବାର ବୈଠକ ପାଇଁ ଅନୁରୋଧ କରିଥିଲା।

Advertisment

ଏହି ଅବସରରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସୀମ ଇଫ୍‌ତିଖାର ଅହମ୍ମଦ ଭାରତକୁ ଦାୟୀ କରି ଉଦ୍ଦେଶ୍ୟମୂଳକ ଭାବେ କିଛି ମିଥ୍ୟା ତଥ୍ୟ ରଖିଥିଲେ, ଯାହାକୁ ସଦସ୍ୟ ରାଷ୍ଟ୍ରମାନେ ପ୍ରତ୍ୟାଖ୍ୟାନ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ମଧ୍ୟ ବୈଠକରେ ଉଠାଇ ବିଫଳ ହୋଇଛି। ଭାରତ ନିୟନ୍ତ୍ରଣ ରେଖା ଅଂଚଳରେ ଉତ୍ତେଜନା ବଢ଼ାଉଛି ବୋଲି ପାକିସ୍ତାନ ଅଭିଯୋଗ କରିବା ପରେ ସଦସ୍ୟ ରାଷ୍ଟ୍ରମାନେ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଲସ୍କରର ଭୂମିକା ରହିଛି କି ନାହିଁ ତାହା ପ୍ରଥମେ ପାକିସ୍ତାନ ସ୍ପଷ୍ଟ କରିବାକୁ କହିଥିଲେ। ଏହା ସହିତ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଉତ୍ତେଜନା ବଢ଼ାଇବା ପଛର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ମଧ୍ୟ ପଚରା ଯାଇଥିଲା। 

୯୦ ମିନିଟ୍‌ର ଅଧିବେଶନରେ ପରିଷଦର ସଦସ୍ୟମାନେ ପାକିସ୍ତାନ ଲଗାତାର ଭାବେ ଦେଉଥିବା ପରମାଣୁ ଆକ୍ରମଣଜନିତ ବୟାନବାଜି ଏବଂ ସାମ୍ପ୍ରତିକ କ୍ଷେପଣାସ୍ତ୍ର ପରୀକ୍ଷା ଉପରେ ଚିନ୍ତା ପ୍ରକଟ କରିଥିଲେ। ଏହାଦ୍ବାରା ଆଞ୍ଚଳିକ ଅସ୍ଥିରତା ସୃଷ୍ଟି ହେବ ବୋଲି ସେମାନେ ପାକିସ୍ତାନକୁ ତାଗିଦ କରିବା ସହ ପାକିସ୍ତାନର ଆଭିମୁଖ୍ୟ ଏଭଳି ସ୍ଥିତିକୁ ଅଧିକ ଜଟିଳ କରୁଛି ବୋଲି ବୈଠକରେ ସ୍ପଷ୍ଟ କରାଯାଇଥିଲା। ଅଂଶଗ୍ରହଣକାରୀ ରାଷ୍ଟ୍ରମାନେ ପାକିସ୍ତାନ ଦ୍ୱାରା ମନଗଢ଼ା କାହାଣୀ ଉପସ୍ଥାପନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବର୍ବର ଆତଙ୍କବାଦୀ ଆକ୍ରମଣର ଉତ୍ତରଦାୟିତ୍ୱ ପାଇଁ ପାକିସ୍ତାନ ଉପରେ ଚାପ ପକାଇଥିଲେ। ଲସ୍କର-ଏ-ତୋଏବାର ସମ୍ଭାବ୍ୟ ସମ୍ପୃକ୍ତି ନେଇ ପାକ୍‌ ପ୍ରତିନିଧିଙ୍କ ଉତ୍ତର କୌଣସି ସଦସ୍ୟ ରାଷ୍ଟ୍ରଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧାର୍ମିକ ପରିଚୟ ପାଇଁ ଟାର୍ଗେଟ୍‌ କରାଯିବା ଅତି ଉଦ୍‌ବେଗର ବିଷୟ ବୋଲି ସୁରକ୍ଷା ପରିଷଦରେ ଅଧିକାଂଶ ସଦସ୍ୟ ମତ ରଖିଥିଲେ।

ସୂତ୍ର ଅନୁଯାୟୀ, ପାକିସ୍ତାନ ଏହି ପ୍ରସଙ୍ଗର ଅନ୍ତର୍ଜାତୀୟକରଣ କରି ଭାରତ ଉପରେ ଦୋଷ ଲଦିବା ପାଇଁ କରିଥିବା ପ୍ରୟାସ ସଂପୂର୍ଣ୍ଣ ବିଫଳ ହୋଇଛି। ବୈଠକ ପରେ ଚୀନ୍ ସମେତ ଅନ୍ୟ କୌଣସି ସଦସ୍ୟ ଏହାର ପ୍ରେସ୍ ବିବୃତିରେ ସାମିଲ ହୋଇନଥିଲେ। କୌଣସି ପ୍ରସ୍ତାବ, ବିବୃତି କିମ୍ବା ପ୍ରେସ୍ ରିଲିଜ୍ ବିନା ଅଧିବେଶନ ଶେଷ ହୋଇଥିଲା। ଏହ‌ାଦ୍ବାରା ପାକିସ୍ତାନ ସମ୍ପୂର୍ଣ୍ଣ ଏକଘରିଆ ହୋଇଯାଇଥିଲା। ତେବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗଗୁଡ଼ିକୁ ସିଧାସଳଖ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ ବୋଲି କେତେକ ସଦସ୍ୟ ମତ ରଖିଥିଲେ।