ଚୀନ ଋଣ ଜାଲରେ ପାକିସ୍ତାନ:ପୁଣି ମାଗିଲା ୨ଶହ କୋଟି ଡଲାର

ଇସଲାମାବାଦ: ପାକିସ୍ତାନରେ ଦେଖା ଦେଇଥିବା ଆର୍ଥିକ ସଙ୍କଟ ଉଗ୍ରରୂପ ଧାରଣ କଲାଣି। ପାକିସ୍ତାନ ଆଜି ପୁଣିଥରେ ଚୀନକୁ ୨ ଶହ କୋଟି ଡଲାରର ଆର୍ଥିକ ସହାୟତା ମାଗିଛି। ଏନେଇ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ପାକିସ୍ତାନକୁ ଏହି ଋଣ ବୋଝ ଅସୁବିଧାରେ ପକାଇପାରେ ବୋଲି କୂଟନୈତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି। ସେପଟେ, ବାରମ୍ବାର ଆର୍ଥିକ ସହାୟତାର ପ୍ରଲୋଭନ ଦେଖାଇ ପାକିସ୍ତାନକୁ ଚୀନ ନିଜ କବଳରେ ରଖିବାକୁ ଚେଷ୍ଟା କରୁଛି। ଚୀନ ଏହି ବାହାନାରେ ନିଜର ବିସ୍ତାରବାଦୀ ନୀତି ଦ୍ୱାରା ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ମଧ୍ୟ ଆଧିପତ୍ୟ ବିସ୍ତାର ଆରମ୍ଭ କରିଦେଲାଣି।
ପାକିସ୍ତାନର ଏହି ଆର୍ଥିକ ସଙ୍କଟ ଏତେ ଭୟଙ୍କର ହୋଇ ପଡ଼ିଲାଣି ଯେ, ନିଜର ଖର୍ଚ୍ଚ ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ। ପାକିସ୍ତାନ ଅର୍ଥ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଚଳିତ ବର୍ଷ ସୁଦ୍ଧା ଚୀନ ଓ ଏହାର ବ୍ୟାଙ୍କ ଗୁଡ଼ିକ ନିକଟରୁ ପାକିସ୍ତାନ ୫ ବିଲିୟନ ଡଲାରରୁ ଉର୍ଦ୍ଧ୍ୱ ଟଙ୍କାର ଋଣ ନେଇ ସାରିଲାଣି। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଆମେରିକା ପ୍ରଦାନ କରୁଥିବା ଆର୍ଥିକ ସହାୟତା ଗୁଡ଼ିକ ବନ୍ଦ କରିଦେବା ପରେ ପାକିସ୍ତାନର ସମସ୍ୟା ଜଟିଳ ହୋଇ ପଡ଼ିଛି। ଏହା ସହିତ ପାକିସ୍ତାନକୁ ଆମେରିକା ବିଶ୍ୱ ଆତଙ୍କବାଦ ତାଲିକାରେ ସାମିଲ କରିଦେବା ପରେ ପାକିସ୍ତାନର ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଗତବର୍ଷ ପାକିସ୍ତାନରେ ବିଦେଶୀ ମୁଦ୍ରାର ପରିମାଣ ୧୬.୪ ବିଲିୟନ ଡଲାର ଥିଲା ବେଳେ ଚଳିତବର୍ଷ ଏହା ଆହୁରି ନିମ୍ନକୁ ଖସି ୧୦.୩ ବିଲିୟନ ଡଲାରରେ ପହଞ୍ଚିଛି। ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତା ଜୁଲାଇ ୨୫ରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରେ ପାକିସ୍ତାନ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିଠାରୁ ଦ୍ୱିତୀୟ ବେଲଆଉଟ ପ୍ୟାକେଜ ମାଗିପାରେ ବୋଲି ଆଲୋଚନା ହେଉଛି। ଏହା ପୂର୍ବରୁ ୨୦୧୩ ମସିହାରେ ପାକିସ୍ତାନ ବେଲଆଉଟ ପ୍ୟାକେଜ ମାଗି ସାରିଛି। ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସରକାର ୨ଶହରୁ ଉର୍ଦ୍ଧ୍ୱ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଟିକସର ମାତ୍ରା ବୃଦ୍ଧି କରିଛନ୍ତି। ସେପଟେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାକିସ୍ତାନ ପାଇଁ ଆଉ ଏକ ଚିନ୍ତାର ବିଷୟ ପାଲଟିଛି। ତେଣୁ ପାକିସ୍ତାନ ଚୀନ ସମେତ ସାଉଦୀ ଆରବଠାରୁ ମଧ୍ୟ ସହାୟତା ମାଗିବ ବୋଲି ସୂଚନା ମିଳିଛି।
ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ମୁଖ୍ୟ ବିଚାରପତି
ଇସଲାମାବାଦ୍‌, ୨୮|୫: ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି ନସିର ଉଲ ମୁଲକ୍‌ଙ୍କୁ ପାକିସ୍ତାନ ଆଜି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛି। ଜୁଲାଇ ୨୫ରେ ସାଧାରଣ ନିର୍ବାଚନ ହେବା ପର୍ଯ୍ୟନ୍ତ ମୁଲକ୍‌ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ। ମୁଲକ୍‌ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ବୋଲି ଘୋଷଣା କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ସାହିଦ ଖକାନ୍‌ ଅବାସୀ କହିଛନ୍ତି ଯେ ପାକିସ୍ତାନର କୌଣସି ନାଗରିକ ମୁଲକ୍‌ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ବିରୋଧରେ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେନି। ଆସନ୍ତା ସାଧାରଣ ନିର୍ବାଚନ ହେବା ପର୍ଯ୍ୟନ୍ତ ସେ ଦେଶରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ରହିବେ। ଆସନ୍ତା ଗୁରୁବାର ଦିନ ବର୍ତ୍ତମାନ ସରକାରର କାର୍ଯ୍ୟକାଳ ଶେଷ ହେଉଥିବାରୁ ନିର୍ବାଚନ ହେବା ପର୍ଯ୍ୟନ୍ତ ମୁଲକ୍‌ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ରହିବେ। ମୁଲକ୍‌ ପୂର୍ବରୁ ପାକିସ୍ତାନ ନିର୍ବାଚନ କମିସନ୍‌ର ଅନ୍ତରୀଣ ମୁଖ୍ୟ ବି ଥିଲେ।

ସମ୍ବନ୍ଧିତ ଖବର