ସାର୍କ ସଚିବାଳୟରେ ଫେରାଦ ହେବ ପାକିସ୍ତାନ

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଭାରତ ଚଳାଇଥିବା ଯୁଦ୍ଧ ପ୍ରସଙ୍ଗରେ ଆଠ ରାଷ୍ଟ୍ର ବିଶିଷ୍ଟ ”ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ” (ସାର୍କ) ସଚିବାଳୟରେ ଫେରାଦ ହେବାକୁ ପାକିସ୍ତାନ ମସୁଧା କରୁଥିବା ଜଣାପଡିଛି। ସାଧାରଣତଃ କୋଭିଡ-୧୯ ସଂକ୍ରାନ୍ତ ପ୍ରସଙ୍ଗରେ ସାର୍କ ସଚିବାଳୟରେ ଯାହା ବି କଥାବାର୍ତ୍ତା ହେବ, ସେଥିରେ ଅନ୍ୟ କେହି ପକ୍ଷଭୁକ୍ତ ହେବେ ନାହିଁ। କିନ୍ତୁ ପାକିସ୍ତାନ ଚାହୁଛି, ସେଠାରେ ସବୁ ପ୍ରସଙ୍ଗ ଉଠାଇ ଭାରତର ପ୍ରୟାସରେ କଣ୍ଟା ସାଜିବ। ସୂଚନାଯୋଗ୍ୟ ଯେ ବୁଧବାର ସାର୍କର ବରିଷ୍ଠ ବାଣିଜ୍ୟ ଅଧିକାରୀମାନଙ୍କ ଏକ ଭିଡିଓ ସମ୍ମିଳନୀକୁ ଅଯଥା ଆଳ ଦେଖାଇ ପାକିସ୍ତାନ ଏଡ଼ାଇଯାଇଥିଲା। କାରଣ ମାର୍ଚ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାହକତ୍ୱରେ ସାର୍କ ନେତାମାନଙ୍କର ଭିଡିଓ ସମ୍ମିଳନୀରେ ନିଷ୍ପତ୍ତି ହୋଇ କୋଭିଡ୍‌-୧୯ ସଂକ୍ରାନ୍ତ କାର୍ଯ୍ୟମାନ ନିର୍ବିରୋଧରେ ଆଗେଇ ଚାଲିଛି। ଏକକ ଭାବେ ସେହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି, ଯାହାକି ସାର୍କର କ୍ୟାଲେଣ୍ଡର କାର୍ଯ୍ୟକ୍ରମ ସହିତ ପ୍ରତ୍ୟକ୍ଷ ସଂପର୍କ ନାହିଁ। କିନ୍ତୁ ପାକିସ୍ତାନ ସବୁ କୋଭିଡ୍‌-୧୯ ପ୍ରସଙ୍ଗକୁ ଟାଣିକି ଔପଚାରିକ ଭାବେ ସାର୍କ ସଚିବାଳୟ କାଠମାଣ୍ଡୁ ଅଧୀନରେ ରଖିବାକୁ ଚାହୁଛି। କୋଭିଡ୍-୧୯ ସଂକଟ କାଳରେ ବି ପାକିସ୍ତାନ ସଂକୀର୍ଣ ରାଜନୀତିକ ଲକ୍ଷ୍ୟ ସାଧନ ପାଇଁ ଗୁଟି ଚାଳନା କରୁଛି! ଡିସେମ୍ବର ୧୯୮୫ରେ ଗଠିତ ସାର୍କର ସନନ୍ଦ ଅନୁଯାୟୀ ବିବେକାନୁମୋଦିତ ଭାବେ ସମସ୍ତ ପ୍ରସଙ୍ଗରେ ନିଷ୍ପତ୍ତି ହେବ, ଯାହାକି ୮ଟି ଯାକ ସଦସ୍ୟ ରାଷ୍ଟ୍ରକୁ କୌଣସି କ୍ଷତି ପହଞ୍ଚାଉନଥିବ। ପାକିସ୍ତାନର ଭାରତ ସହିତ ଶତ୍ରୁତା ରହିଥିବାରୁ ଅନେକ କାମରେ ସେ ବାଧା ପହଞ୍ଚାଉଛି। କିଛି ସପ୍ତାହ ହେଲା ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ୍‌ କୁରେସି ଅନ୍ୟ ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କୁ ଫୋନ୍‌ରେ କହୁଛନ୍ତି ଯେ କୋଭିଡ୍‌-୧୯ ପ୍ରସଙ୍ଗଗୁଡ଼ିକ ସାର୍କ ସଚିବାଳୟରେ ଉପସ୍ଥାପିତ ହେବ।

ସମ୍ବନ୍ଧିତ ଖବର