ଗୁଜରାଟ ନିର୍ବାଚନରେ ମୁଣ୍ଡ ଖେଳଉଛି ପାକିସ୍ତାନ

ମଣିଶଙ୍କରଙ୍କ ଘରେ ପାକ୍‌ ନେତୃମଣ୍ଡଳୀ ବୈଠକ!

ପଲାନପୁର(ଗୁଜରାଟ): ଗୁଜରାଟ ନିର୍ବାଚନରେ ପାକିସ୍ତାନ ମୁଣ୍ଡ ଖେଳାଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ ଆଣିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ମଟେଲ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ଲାଗି ପାକିସ୍ତାନ ସେନାର ପ୍ରାକ୍ତନ ମହାନିର୍ଦ୍ଦେଶକ ସର୍ଦ୍ଦାର ଆର୍ସାଦ ରଫିକ୍‌ କରିଥିବା ବିବାଦୀୟ ନିବେଦନ ଉପରେ ମୋଦି ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏ ସମ୍ପର୍କରେ କଂଗ୍ରେସର କିଛି ଟାଣୁଆ ନେତାଙ୍କ ସହିତ ପାକିସ୍ତାନର ନେତୃମଣ୍ଡଳୀ ମଧ୍ୟ ସାକ୍ଷାତ କରିଛନ୍ତି ବୋଲି ମୋଦି କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଏଠାକୁ ଆସିଥିବା ମୋଦି ଏହି ଅବସରରେ ଏ ସମ୍ପର୍କରେ କଂଗ୍ରେସଠାରୁ କୈଫିୟତ ଲୋଡ଼ିଛନ୍ତି।

ମୋଦିଙ୍କ କହିବା କଥା, କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ଘରେ ଏକ ବୈଠକ ହୋଇଥିବା କଥା ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି। ଦୀର୍ଘ ତିନି ଘଣ୍ଟା କାଳ ଧରି ଚାଲିଥିବା ଏହି ବୈଠକରେ ପାକିସ୍ତାନର ରାଷ୍ଟ୍ରଦୂତ ଓ ପ୍ରାକ୍ତନ ବିଦେଶ ମନ୍ତ୍ରୀଙ୍କ ସମେତ ଭାରତର ପ୍ରାକ୍ତନ ଉପରାଷ୍ଟ୍ରପତି ଏବଂ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପ୍ରମୁଖ ଯୋଗଦେଇଥିଲେ। ବୈଠକର ପରଦିନ ହିଁ ମଣିଶଙ୍କର ମୋଦିଙ୍କୁ ‘ନୀଚ’ ବୋଲି ଆକ୍ଷେପ କରିଥିଲେ। ସୁତରାଂ ଏହା ଏକ ଗମ୍ଭୀର ପ୍ରସଙ୍ଗ ବୋଲି ମୋଦି କହିଛନ୍ତି। ଗୋଟିଏ ପଟେ ପାକିସ୍ତାନ ସେନାର ପ୍ରାକ୍ତନ ଡିଜି ଗୁଜରାଟ ନିର୍ବାଚନରେ ନିଜର ଇଚ୍ଛା ପ୍ରକଟ କରୁଥିବା ବେଳେ ଏଣେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ମଣିଶଙ୍କରଙ୍କ ଘରେ ବୈଠକ କରୁଛନ୍ତି। ତେଣୁ ପ୍ରକୃତରେ ଘଟଣା ସମ୍ପର୍କରେ ଦେଶବାସୀଙ୍କୁ କଂଗ୍ରେସ ଜବାବ ଦେବାକୁ ମୋଦି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର