କର୍ତ୍ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବାକୁ ନଭଜୋତ ସିଂହ ସିଦ୍ଧୁଙ୍କ ନିକଟକୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୯ ତାରିଖରେ ପାକିସ୍ତାନ ଠାରେ ଆୟୋଜିତ ହେବାକୁ ଥିବା କର୍ତ୍ତାରପୁର କରିଡର୍‌ର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସର ବିବାଦୀୟ ନେତା ନଭଜୋତ ସିଂହ ସିଦ୍ଧୁଙ୍କ ନିକଟକୁ ପାକିସ୍ତାନ ନିମନ୍ତ୍ରଣ ପତ୍ର ପଠାଇଥିବା ଜଣାପଡ଼ିଛି। କର୍ତ୍ତାରପୁର କରିଡର ଦେଇ ପ୍ରଥମ ଦଫାରେ ପାକିସ୍ତାନର ଗୁରୁଦ୍ବାରା ଦରବାର ସାହିବ୍‌ ଯିବା ପାଇଁ ଯେଉଁ ୫୭୫ଜଣ ଯାତ୍ରୀଙ୍କ ତାଲିକା ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ପ୍ରଦାନ କରାଯାଇଛି ସେଥିରେ ନଭଜୋତ ସିଂହ ସିଦ୍ଧୁ ବାଦ ପଡ଼ିଥିବା ଜାଣିବାପରେ ପାକିସ୍ତାନ ପକ୍ଷରୁ ତାଙ୍କ ନିକଟକୁ ଏହି ନିମନ୍ତ୍ରଣ ଆସିଛି।

ଉଲ୍ଲେଖଯୋଗ୍ୟ, କର୍ତ୍ତାରପୁର କରିଡର ଦେଇ ପ୍ରଥମ ଦଫାରେ ପାକିସ୍ତାନର ଗୁରୁଦ୍ବାରା ଦରବାର ସାହିବ୍‌ ଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଯେଉଁ ଯାତ୍ରୀ ତାଲିକା ପାକିସ୍ତାନକୁ ପ୍ରଦାନ କରାଯାଇଛି, ସେଥିରେ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଞ୍ଜାବର କଂଗ୍ରେସ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ, ହରସିମତ୍ କୌର ବାଦଲଙ୍କ ସମେତ ବହୁ ସାଂସଦ ଓ ବିଧାୟକଙ୍କର ନାମ ରହିଥିବା ବେଳେ ନଭଜୋତ ସିଂହ ସିଦ୍ଧୁଙ୍କ ନାମ ନାହିଁ।

India Today

ପୂର୍ବରୁ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଦେଶରେ ବିବାଦୀୟ ହୋଇ ପଡ଼ିଥିବା ନଭଜୋତ ସିଂହ ସିଦ୍ଧୁଙ୍କୁ ଭାରତ ସରକାର ଏଇ ତାଲିକାରେ ସାମିଲ କରି ନଥିବା କୁହାଯାଉଛି। ତେବେ, ପାକିସ୍ତାନର ନିମନ୍ତ୍ରଣକୁ ସ୍ବୀକାର କରି ସିଦ୍ଧୁ ପାକିସ୍ତାନ ଯାଉଛନ୍ତି ନା ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର