ପିଓକେ ଓ ଗିଲଗିଟ-ବଲ୍ଟିସ୍ତାନକୁ ନେଇ ଭୟଭୀତ ପାକିସ୍ତାନ

ନୂଆଦିଲ୍ଲୀ: ପାକ୍-ଅଧିକୃତ କାଶ୍ମୀର (ପିଓକେ) ଓ ଗିଲଗିଟ-ବଲ୍ଟିସ୍ତାନ (ଜିବି)କୁ ପୁନର୍ଦଖଲ କରିବା ପାଇଁ ଭାରତର ବିଜେପି ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ନେଇ ‘ନ୍ୟାରେଟିଭ୍’ରେ ପରିବର୍ତ୍ତନ କରିବା ଦେଖାଯାଉଛି। ବିଜେପି ନେତୃତ୍ବାଧୀନ ଭାରତ ସରକାରଙ୍କ ଆଭିମୁଖ୍ୟ ଜାଣିବା ପରେ ଭୟଭୀତ ପାକିସ୍ତାନ ମଧ୍ୟ ଆତ୍ମରକ୍ଷାମୂଳକ ଭଙ୍ଗୀ (ଡିଫେନ୍ସିଭ୍ ମୋଡ୍‌) ଆପଣେଇଛି।

ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗରରେ କହିଥିଲେ ଯେ ପିଓକେ ଓ ଜିବି ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଭାରତ ଏହାକୁ ନିଶ୍ଚୟ ପୁନର୍ଦଖଲ କରିବ। ରାଜନାଥଙ୍କ ଏହି ଭାଷଣରେ ପାକିସ୍ତାନ ଏକ ଝଟ୍‌କା ଅନୁଭବ କରିଥିବା ବେଳେ ପିଓକେ-ଜିବି ବାସିନ୍ଦାଙ୍କ ମନରେ ପାକିସ୍ତାନର ଦାସତ୍ବରୁ ମୁକ୍ତିର ଆଶା ଉଙ୍କିମାରିଛି। ରାଜନାଥ କହିଥିଲେ ଯେ, ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟ (ଜେକେୟୁଟି)ର ବିକାଶ ସେତେବେଳେ ସମ୍ପୂର୍ଣ୍ଣ ହେବ ଯେତେବେଳେ ଗିଲଗିଟ୍-ବଲ୍ଟିସ୍ତାନ ଓ ପିଓକେ ଭାରତ ସହ ମିଶିବ।

ରାଜନାଥ ଲୋକସଭାରେ ଗୃହୀତ ହୋଇଥିବା ୧୯୯୪ ସଂକଳ୍ପନାମାକୁ ଦୋହରାଇଥିଲେ। ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଗୃହୀତ ସଂକଳ୍ପନାମାରେ କୁହାଯାଇଥିଲା ଯେ ପିଓକେ-ଜିବି ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭାଷଣରେ ଗିଲଗିଟ କଥା ଉଠାଇଥିଲେ ଏବଂ ଏହାପରେ ଗିଲଗିଟବାସୀ ତାଙ୍କ ଅଧିକାର ପ୍ରସଙ୍ଗ ଉଠାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ୨୦୧୬ ଅଗଷ୍ଟ ୧୨ରେ ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀରରେ ଏକ ସର୍ବଦଳୀୟ ବୈଠକରେ କହିଥିଲେ ଯେ ପିଓକେ ଓ ବେଲୁଚିସ୍ତାନରେ ପାକିସ୍ତାନ ଲୋକଙ୍କୁ ନିର୍ଯାତନା ଦେଉଛି। ଏହା ବିଜେପିର କାଶ୍ମୀର ନୀତି ପରିବର୍ତ୍ତନର ଏକ ଝଲକ। ୨୦୧୯ ଅଗଷ୍ଟରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରାଗଲା। ଏହାପରେ ଭାରତ ବାରମ୍ବାର ପିଓକେ-ଜିବି ପ୍ରସଙ୍ଗ ଉଠାଇବା ଓ ଏହାକୁ ପୁନର୍ଦଖଲ କଥା କହିବା ପାକିସ୍ତାନ ମନରେ ଭୀତି ସଂଚାର କରିଛି। ସର୍ଜିକାଲ ଷ୍ଟ୍ରାଇକ୍ ପରି ଭାରତ କେତେବେଳେ ଆକ୍ରମଣ କରି ଏହାକୁ ନିଜ ଦଖଲକୁ ନେଇପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି।

ସମ୍ବନ୍ଧିତ ଖବର