ଲାହୋର: ପାକିସ୍ତାନର ଆର୍ଥିକ ସ୍ଥିତି ସାଙ୍ଘାତିକ ହୋଇପଡିଥିଲେ ମଧ୍ୟ ଅଯଥା ଖର୍ଚ୍ଚ କରିବାରେ ଲାଗି ପଡିଛି । ଭାରତ ପାକିସ୍ତାନର ସୀମା ରେଖା ଅଟାରି-ଓ୍ଵାଘା ବର୍ଡର ଠାରୁ ୨୮ କିଲୋମିଟର ଦୂରରେ ଥିବା ରାବି ନଦୀ କୂଳରେ ପାକିସ୍ତାନ ଏକ ମେଗା ସହର ବସାଇବାର ଯୋଜନା କରୁଛି । ମେଗା ସହରକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ଵପ୍ନର ପ୍ରକଳ୍ପ ବୋଲି କୁହାଯାଉଛି । ସୂଚନା ଅନୁସାରେ ଏହା ଏକ ସବୁଜ ସହର(ଗ୍ରୀନ୍ ସିଟି) ହେବ ଯାହା ପ୍ରଦୂଷିତ ହୋଇ ସାରିଥିବା ରାବି ନଦୀକୁ ମଧ୍ୟ ବଞ୍ଚେଇବାରେ ସାହାଯ୍ୟ କରିବ ।

Advertisment

ତେବେ ଏହି ପ୍ରକଳ୍ପକୁ ନେଇ ପାକିସ୍ତାନରେ ହିଁ ବିରୋଧ ଦେଖା ଦେଇଛି । ପାକିସ୍ତାନ ସରକାର ଅଯଥାରେ ଅର୍ଥ ଖର୍ଚ୍ଚ କରୁଥିବା ଅଭିଯୋଗ କରି ପାକିସ୍ତାନର ଜନତା ଏହାର ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । ଲାହୋର ହାଇକୋର୍ଟ ଗତବର୍ଷ ହିଁ ଏହି ପ୍ରକଳ୍ପ ରୋକିବାକୁ ଆଦେଶ ଦେଇସାରିଛି।

ମିଡିଆ ରିପୋର୍ଟ ଆନୁସାରେ ପାଖାପାଖି ୪୬ ବର୍ଗ କିଲୋମିଟର ସ୍ଥାନରେ ବନିବାକୁ ଯାଉଥିବା ଏହି ସହର ପ୍ରକଳ୍ପକୁ ୧୫ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ରାବି ଉନ୍ନୟନ ଅଥରିଟି ମଧ୍ୟ ବନାଯାଇଛି । ରାବି ଉନ୍ନୟନ ଅଥରିଟିର ସିଇଓଙ୍କ ଅନୁସାରେ ରାବି ନଦୀରୁ କେନାଲ ବାହାର କରାଯିବ । ରାବି ନଦୀରେ ଲାହୋର ସହରର ଆବର୍ଜନା ପଡୁଥିବାରୁ ରାବି ନଦୀରେ ପ୍ରଦୂଷଣ ବହୁମାତ୍ରାରେ ବଢିଯାଇଛି ।

publive-image

ଏହି ବିଶାଳ ପ୍ରକଳ୍ପକୁ ପାକିସ୍ତାନର ଚାଷୀମାନେ ବିରୋଧ କରୁଥିବାରୁ ପ୍ରକଳ୍ପ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାଖାପାଖି ୫୨ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ଆଗକୁ ବଢେଇବାରେ ଲାଗି ପଡିଛନ୍ତି ତେବେ ଏହି ପ୍ରକଳ୍ପକୁ ଜୋରଦାର ବିରୋଧ କରାଯାଉଛି । ନୂତନ ସହରକୁ ପାଖାପାଖି ୧ କୋଟି ଜନସଂଖ୍ୟା ବିଶିଷ୍ଟ ଲାହୋର ସହରର ସାଥୀ ସହର ଭାବେ ବନେଇବାର ଯୋଜନା କରା ଯାଉଛି ।

ଲାହୋର ହାଇକୋର୍ଟରେ ଅନେକ ଚାଷୀଙ୍କ ଦ୍ଵାରା ମେଗା ସହର ପ୍ରକଳ୍ପ ବିରୋଧରେ ମାମଲା ଦାୟର ହେବା ପରେ ଲାହୋର ହାଇକୋର୍ଟ ଗତବର୍ଷ ପ୍ରକଳ୍ପକୁ ବନ୍ଦ ରଖିବାକୁ ଆଦେଶ ଦେଇଥିଲେ । ଏହାପରେ ପ୍ରକଳ୍ପର କାମ ବନ୍ଦ ରହିଛି । ଚାଷୀମାନେ କହିଛନ୍ତି ଯେ ଯଦି ହାଇକୋର୍ଟ ତାଙ୍କ କଥା ନଶୁଣନ୍ତି ତେବେ ସେମାନେ ସୁପ୍ରିମକୋର୍ଟ ଯିବେ । ତେଣୁ ପାକିସ୍ତାନ ସରକାରଙ୍କ ମେଗା ସହର ପ୍ରକଳ୍ପ ଅନିଶ୍ଚିତତା ଦେଇ ଗତି କରୁଛି ।

ଜଣେ ଚାଷୀ କହିଛନ୍ତି,ମୁଁ ନିଜ ଚାଷ ଜମିରେ ବଡ ବଡ ଯନ୍ତ୍ରପାତି ଲାଗିଥିବାର ଦେଖିବାକୁ ପାଉଛି । ସମସ୍ତ ଜମିକୁ ନଷ୍ଟ କରି ଦିଆଯାଇଛି । ସରକାର ନାମକୁ ମାତ୍ର କ୍ଷତିପୂରଣ ଦେଉଛି କିନ୍ତୁ ଆମେ ଏହାକୁ ନେବୁ ନାହିଁ । ଅନେକ ଦିନରୁ ଏଗୁଡିକ ଆମର ଜମି ଥିଲା । ଏଗୁଡିକୁ ଆମେ ବିକିବୁ ନାହିଁ ।