ନୂଆଦିଲ୍ଲୀ: ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି। ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ ଅନ୍ତର୍ଜାତୀୟ ଆତଙ୍କବାଦୀମାନେ ଆଡ଼ା ଜମାଇ ରହିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌୍‌ସି)ର ନୂଆ ବିଶ୍ୱ ଆତଙ୍କବାଦୀ ତାଲିକାରେ ୧୩୯ ପାକିସ୍ତାନୀ ରହିଥିବା ଜଣାଯାଇଛି। ଏଥିମଧ୍ୟରୁ ଅଧିକାଂଶ ଲସ୍କର ଏ ତୋଏବା ଏବଂ ଜୈଶ ଏ ମହମ୍ମଦ୍‌ର ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଜାତିସଂଘ ତାଲିକାରେ ଥିବା ଏହି ଆତଙ୍କବାଦୀମାନେ ପାକିସ୍ତାନର ତଥା ପାକିସ୍ତାନରେ କାର୍ଯ୍ୟ କରୁଥିବା କେତେକ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତ । ତାଲିକାରେ ଭାରତର ମୋଷ୍ଟ୍‍ ଓ୍ଵାଣ୍ଟେଡ଼ ଆତଙ୍କବାଦୀ ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ ଏବଂ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ ସୟିଦ ରହିଛି। ଜାତିସଂଘ ସୁତ୍ରରୁ ଜଣାଯାଇଛି ଯେ ଦାଉଦ୍‌ ଭାରତୀୟ ନାଗରିକ ହୋଇଥିଲେ ବି ତା’ ନିକଟରେ ପାକିସ୍ତାନର ଅନେକ ପାସ୍‌ପୋର୍ଟ ରହିଛି ଯାହା ରାଓ୍ଵଲପିଣ୍ଡି ଏବଂ କରାଚିରେ ସେ ହାସଲ କରିଛି। ୟୁଏନ୍‌ଏସ୍‌ସି ମଧ୍ୟ ଲସ୍କର ସମେତ ଏହାର ବିଭିନ୍ନ ସହଯୋଗୀ ଗୋଷ୍ଠୀ ତଥା ଅଲ-ମନସୁରିଆନ୍‌, ପାସବନ୍‌-ଅଲ୍‌-କଶ୍ମୀର, ପାସଓ୍ଵନ-ଏ-ଅହଲ ହାଦିଥ, ଜମାତ୍‌- ଉଦ୍‌ ଦାଓ୍ଵା ଏବଂ ଫଲାହ-ଏ-ଇନସାନିୟତ୍‌ ଆଦି ଗୋଷ୍ଠୀକୁ ଏହି ନୂଆ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ଗତକାଲି ଆମେରିକା ହାଫିଜ୍‌ର ରାଜନୈତିକ ଦଳ ମିଲି ମୁସଲିମ୍‌ ଲିଗ୍‌ (ଏମଏଏମଲ)କୁ ମଧ୍ୟ ଆତଙ୍କବାଦୀ ଗୋଷ୍ଠୀ ଭାବେ ଘୋଷଣା କରିଥିଲେ। ଜାତିସଂଘର ଏହି ନୂଆ ଆତଙ୍କବାଦୀ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଅଲ କାଏଦାର ଅୟମାନ୍‌ ଅଲ-ଜଓ୍ଵାହିରି । ସେ ହେଉଛି ୯/୧୧ ମାଷ୍ଟରମାଇଣ୍ଡ୍‌ ଓସାମା ବିନ୍‌ ଲାଦେନ୍‌ର ଉତ୍ତରାଧିକାରୀ। ଜଓ୍ଵାହିରି ଏବେ ମଧ୍ୟ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଲୁଚି ରହିଛି। ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ରାମ୍‌ଜି ମହମ୍ମଦ ବିନ୍‌ ଅଲ-ସେବାହ ଯିଏ ଜଣେ ୟେମେନ ନାଗରିକ । ପାକିସ୍ତାନ ନିଜ ମାଟିକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଥିବା ବେଳେ ଏହା ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। କଶ୍ମୀରୀ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର, ଅର୍ଥ ଓ ତାଲିମ ଦେଇ ପାକିସ୍ତାନ ସମସ୍ୟା ବଢ଼ାଉଛି ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଅହରହ ଉଦ୍ୟମ କରୁଛି। ପାକ୍‌୍‌ ଆତଙ୍କବାଦୀମାନେ ଦୀର୍ଘ ବର୍ଷ ଧରି କଶ୍ମୀରରେ ନରସଂହାର ଜାରି ରଖିଛନ୍ତି।