୫୫୦ତମ ଜୟନ୍ତୀ ପାଳନ ଅବସରରେ ଗୁରୁ ନାନକ ଦେବଙ୍କ ସମ୍ମାନାର୍ଥେ ସ୍ମାରକୀ ମୁଦ୍ରା ପ୍ରଚଳନ କଲା ପାକିସ୍ତାନ

ଇସ୍‌ଲାମ୍‌ବାଦ: ପାକିସ୍ତାନ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ସ୍ମାରକୀ ଧାତବ ମୁଦ୍ରା  ପ୍ରକାଶ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଏହି ସ୍ମାରକୀ ମୁଦ୍ରାର ଏକ ଫଟୋକୁ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି।

ନଭେମ୍ବର ୯ ତାରିଖରେ କର୍ତ୍ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ଅନେକ ଶିଖ୍‌ ଶ୍ରଦ୍ଧାଳୁ ଯୋଗ ଦେବାକୁ ‌ପାକିସ୍ତାନ ପହଞ୍ଚିବେ। ଏହି ଶିଖ୍‌ ଶ୍ରଦ୍ଧାଳୁମାନେ ଏହି ସ୍ମାରକୀ ମୁଦ୍ରାକୁ କିଣି ପାରିବେ। ପାକିସ୍ତାନ ସରକାର ଏହି ଅବସରରେ ଏକ ଡାକ ଟିକେଟ ବି ପ୍ରକାଶ କରିଛନ୍ତି। ପାକିସ୍ତାନ ପ୍ରକାଶ କରିଥିବା ଏହି ସ୍ମାରକୀ ମୁଦ୍ରାର ମୂଲ୍ୟ ୫୦ଟଙ୍କା ହୋଇଥିବା ବେଳେ ଡାକ ଟିକେଟର ମୂଲ୍ୟ ୮ଟଙ୍କା ରହିଛି।

ତେବେ ଭାରତ ଗତ ମଙ୍ଗଳବାର ପାକିସ୍ତାନରେ କର୍ତ୍ତାରପୁର କରିଡର ମାଧ୍ୟମରେ ଗୁରୁଦ୍ୱାରା କର୍ତ୍ତାରପୁର ସାହିବ୍‌ରେ ଉଦ୍‌ଘାଟନ୍‌ ସମାରୋହରେ ଭାଗ ନେବାକୁ ଥିବା ୫୭୫ଜଣ ନିର୍ଦ୍ଧାରିତ ତୀର୍ଥଯାତ୍ରୀଙ୍କ ଏକ ତାଲିକାର ପ୍ରକାଶ କରିଥିଲା। ଏଥିସହିତ ଭାରତ ଅକ୍ଟୋବର ୨୪ରେ ଗୁରୁ ନାନକ ଦେବଙ୍କ ଜୟନ୍ତୀ ପୂର୍ବରୁ ଏହାର ଉଦ୍‌ଘାଟନ ମାର୍ଗକୁ ପ୍ରଶସ୍ତ କରିବା ସହିତ କର୍ତ୍ତାରପୁର ସାହିବ କରିଡରର ପରିଚାଳନା ବ୍ୟବସ୍ଥାକୁ ନେଇ ପାକିସ୍ତାନ ସହିତ ଏକ ବୁଝାମଣା ପତ୍ର ବି ସ୍ୱାକ୍ଷର କରିଛି।

ଯେଉଁମାନେ  ଗୁରୁଦ୍ୱାରା ଦରବାର ସାହିବ, ପାକିସ୍ତାନର ଗୁରୁ ନାନକ ଦେବଙ୍କ ପବିତ୍ରସ୍ଥାନକୁ ଭ୍ରମଣରେ ଯିବେ ତାଙ୍କ ଠାରୁ ପାକ ସରକାର  ସେବା ଶୁଳ୍କ ଭାବେ ୨୦ଡଲାର୍ ଆଦାୟ କରିବେ । ଭାରତର ଗୁରୁଦାସପୁର ଡେରା ବାବା ନାନକକୁ ପାକିସ୍ତାନର କର୍ତ୍ତାରପୁରରେ ଦରବାର ସାହିବ ଗୁରୁଦ୍ୱାରା ସହିତ ଯୋଡା ଯାଇଛି।

ସମ୍ବନ୍ଧିତ ଖବର