ହୁରିୟତ ସହ ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ପାକ୍‌ ହାଇ କମିସନ୍‌

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଟେରର୍‌ ଫଣ୍ଡିଂ ମାମଲାରେ ଦାଖଲ କରିଥିବା ଅତିରିକ୍ତ ଚାର୍ଜସିଟ୍‌‌ରେ ଦର୍ଶାଇଛି ଯେ ପାକିସ୍ତାନ ହାଇ କମିସନ୍‌ ହୁରିୟତ ସହ ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ରହିଛି। ପାକିସ୍ତାନ ହାଇ କମିସନ୍‌ ହୁରିୟତ ନେତାମାନଙ୍କୁ କିଭଳି ଭାରତ ବିରୋଧୀ କାର୍ଯ୍ୟକ୍ରମ ତଥା ବେଆଇନ କାର୍ଯ୍ୟକଳାପ ପାଇଁ ପାଣ୍ଠି ବ୍ୟବହାର କରିବାକୁ ହେବ ସେନେଇ ନିର୍ଦ୍ଦେଶ ଦେଉଛି। ହାୱଲା ଚ୍ୟ‌ାନେଲ୍‌ର ବ୍ୟବହାର କରି ଏବଂ ନକଲି କମ୍ପାନି ଦ୍ବାରା ବେଆଇନ ଭାବେ ଏହି ପାଣ୍ଠି ସଂଗ୍ରହ ହେଉଛି। ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବର ୪ ତାରିଖରେ ଏନ୍‌ଆଇଏ ଟେରର ଫଣ୍ଡିଂ ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ୟାସିନ ମଲିକ ଏବଂ ଜମ୍ମୁ କଶ୍ମୀର ଡେମୋକ୍ରାଟିକ୍‌ ଫ୍ରିଡମ ପାର୍ଟି ଅଧ୍ୟକ୍ଷ ସବିର ଶାହ, ଦୁଖ୍‌ତରନ ଏ ମିଲ୍ଲତ ମୁଖ୍ୟ ଆସିୟା ଅନ୍ଦ୍ରାବି ଏବଂ ପୂର୍ବତନ ବିଧାୟକ ରସିଦ ଇଂଜିନିୟରଙ୍କ ବିରୋଧରେ ଦ୍ବିତୀୟ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଥିଲା। ଏମା‌ନେ ୨୦୧୦ରୁ ୨୦୧୬ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପଥର ମାଡ଼ ପାଇଁ ପାକିସ୍ତାନରୁ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏନ୍‌ଆଇଏ ଚାର୍ଜସିଟ୍‌ରେ ମଧ୍ୟ କୁହାଯାଇଛି ଯେ କିଛି କଶ୍ମୀର ବାସିନ୍ଦାଙ୍କ ପରିବାର ସଦସ୍ୟ ଏବଂ ସମର୍ଥକଙ୍କ ଦ୍ବାରା ମଧ୍ୟପ୍ରାଚ୍ୟରୁ ମଧ୍ୟ ପାଣ୍ଠି ସଂଗ୍ରହ ହେଉଛି।

ସମ୍ବନ୍ଧିତ ଖବର