ପାକ୍‌ରେ ହେବ ମେଣ୍ଟ ସରକାର

ଇସଲାମାବାଦ:  ପାକିସ୍ତାନରେ କୌଣସି ଦଳକୁ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳି ନଥିବାରୁ ସବୁଠାରୁ ବଡ଼ ଦଳ ପାଲଟିଥିବା ଇମ୍ରାନ୍‌ ଖାନ୍‌ଙ୍କ ପିଟିଆଇ ଏବେ ମେଣ୍ଟ ସରକାର ଗଠନ ପାଇଁ ତତ୍ପରତା ଦେଖାଇଛି। ପାକିସ୍ତାନ ସାଧାରଣ ନିର୍ବାଚନର ଫଳାଫଳ ଆଜି ଆନୁଷ୍ଠାନିକ ଭାବେ ଘୋଷଣା ହୋଇଥିବା ବେଳେ ଜାତୀୟ ପରିଷଦର ୨୭୨ ଆସନରୁ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହରିକ-ଏ-ଇନ୍‌୍‌ସାଫ୍‌ (ପିଟିଆଇ)କୁ ୧୧୭ ଆସନ ମିଳିଛି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୩୭ ଥିବାରୁ  ଅନ୍ୟ କ୍ଷୁଦ୍ର ଦଳଗୁଡ଼ିକର ସହଯୋଗରେ ମେଣ୍ଟ  ସରକାର ଗଠନ ନିମନ୍ତେ ପିଟିଆଇ ଆଲୋଚନା ଆରମ୍ଭ କରିଛି। ଜେଲ୍‌ରେ ବନ୍ଦୀ ଥିବା ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କ ଦଳ ପିଏମ୍‌ଏଲ୍‌ଏନ୍‌କୁ ୬୨ ଆସନ ମିଳିଛି। ବିଲାଓ୍ଵଲ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପିପିପି ୪୩ ଆସନ ପାଇଛି ।  ତେବେ ବିଲାଓ୍ଵଲ ନିଜେ ଲଢ଼ୁଥିବା ୩ ଆସନରୁ  ଗୋଟିଏରେ ହାରିଯାଇଥିବାରୁ ଏହା ତାଙ୍କ ପାଇଁ ଝଟ୍‌୍‌କା ହୋଇଛି। ଆଜି ପିଏମ୍‌୍‌ଏଲ୍‌-ଏନ୍‌ ପକ୍ଷରୁ କୁହାଯାଇଛି ଯେ ଦଳ ଏକ ସୁଦୃଢ଼ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ଏବଂ  ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ଅଭିଯାନ ଚଳାଇବ।

ଅନ୍ୟପକ୍ଷରେ ପିପିପି ଇମ୍ରାନଙ୍କୁ ସମର୍ଥନ କରିବ କି ନାହିଁ ସେ ନେଇ ସ୍ଥିତି ସ୍ପଷ୍ଟ କରିନାର୍ହି। ଦଳର ବହୁ ନେତା ପିଟିଆଇ ବିରୋଧରେ କଡ଼ା ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ  ବହୁ ଆସନରେ ବୁଥ୍‌ ଜବରଦଖଲ ଓ ଜାଲିଆତି ପ୍ରମାଣ ମିଳିଥିବାରୁ ଏହା ବିରୋଧରେ ପିପିପି ଏବଂ ପିଏମ୍‌ଏଲ୍‌-ଏନ୍‌ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତକାଲି ଇମ୍ରାନ୍‌ ଖାନ୍‌ ଦେଶବାସୀଙ୍କୁ  ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିବାରୁ ଆଗକୁ ଭାରତ-ପାକିସ୍ତାନ ସଂପର୍କ ଆହୁରି ତିକ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।  ପାକିସ୍ତାନର ରାଜନୈତିକ ସ୍ଥିତି ଉପରେ ଭାରତ ସତର୍କ ନଜର ରଖିଛି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌୍‌ତି ଇମ୍ରାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପାକିସ୍ତାନରେ ଜନାଦେଶ ଚୋରି ହୋଇଛି

ଇସଲାମାବାଦ ଦୁର୍ନୀତି ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ କହିଛନ୍ତି ଯେ ସାଧାରଣ ନିର୍ବାଚନର ପରିଣାମ ପାକିସ୍ତାନ ରାଜନୀତିକୁ ଦୂଷିତ କରିଦେଇଛି। ପାକିସ୍ତାନୀ ଭୋଟର୍‌ଙ୍କ ଜନାଦେଶ ଚୋରି ହୋଇଯାଇଛି ଏବଂ ଚୋରି ହୋଇଥିବା ଜନାଦେଶ ଦ୍ୱାରା ସରକାର ଗଠନ ପାଇଁ ପିଟିଆଇ ଦଳ ପ୍ରସ୍ତୁତ ହେଉଛି। ଏଭଳି ସ୍ଥିତିରେ ପାକିସ୍ତାନ ପାଇଁ ଆଗକୁ ବଡ଼ ସଙ୍କଟ ଉପୁଜିବ ବୋଲି ନଓ୍ଵାଜ ସରିଫ୍‌୍‌ ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଟାର୍ଗେଟ୍‌ କରି କହିଛନ୍ତି। ଚଳିତ ନିର୍ବାଚନରେ ପାକିସ୍ତାନୀ ସେନାର ମାତ୍ରାଧିକ ହସ୍ତକ୍ଷେପ ଏବଂ ପିଟିଆଇ ପାଇଁ ଖୋଲାଖୋଲି କାମ କରିବାକୁ ନଓ୍ଵାଜ ନାପସନ୍ଦ କରି ଏଭଳି ବୟାନ ଦେଇଥିବା କୁହାଯାଉଛି। ତେବେ ଏହି ନିର୍ବାଚନରେ ନଓ୍ଵାଜଙ୍କ ଦଳ ପିଏମ୍‌ଏଲ୍‌-ଏନ୍‌ର ଶୋଚନୀୟ ପରାଜୟ ଘଟିଛି।

ସମ୍ବନ୍ଧିତ ଖବର