ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ଭାରତ ଠାରୁ ହାରିବା ପରେ ପାକିସ୍ତାନକୁ ତୀବ୍ର ନିନ୍ଦା କରାଯାଉଛି। ଏଥିସହିତ ଭାରତୀୟ ଖେଳାଳିମାନେ ମ୍ୟାଚ ଆରମ୍ଭ ଓ ଶେଷ ସମୟରେ ପାକିସ୍ତାନ ଖେଳାଳିଙ୍କ ସହିତ ହାତ ନମିଳାଇବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଖେଳ ପ୍ରେମୀମାନେ ପାକିସ୍ତାନ ସହିତ ଭାରତର ମ୍ୟାଚକୁ ବନ୍ଦ କରିବାକୁ ଦାବି କରି ଆସୁଥିଲେ।
କାରଣ ପହଲଗାମରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ସହଯୋଗ ଥିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ପାକିସ୍ତାନ ଏହାକୁ ଅସ୍ବୀକାର କରିଥିଲା। ଏଭଳି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ନଥିବା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ଭାରତୀୟ ସେନା ଅପରେସନ୍ ସିନ୍ଦୂର ସମୟରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଦେଇଥିଲେ।
କିଛି ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦ ଅପରେସନ୍ ସିନ୍ଦୂର ଆକ୍ରମଣରେ ଧ୍ବଂସ ପାଇଯାଇଥିବା କୋଠାଗୁଡ଼ିକୁ ପୁନଃନିର୍ମାଣ କରୁଥିବା ଦେଖିବାକୁ ମିଳୁଛି। ପାକିସ୍ତାନ ଚାନ୍ଦା ଟଙ୍କାରେ ଲସ୍କରର ଆଡ୍ଡା ମରାମତି କରୁଥିବା ସୂଚନା ମିଳିଛି। ଲସ୍କର ଏବଂ ଜୈଶର ଆତଙ୍କବାଦୀମାନେ ଏହି କାମରେ ସମ୍ପୂର୍ଣ୍ଣ ନିୟୋଜିତ ଅଛନ୍ତି।
ଲସ୍କର ଅଗଷ୍ଟ ୧୮ରେ ଅନେକ ଭାରୀ ମେସିନ୍ ଏବଂ ବୁଲଡୋଜର ସାହାଯ୍ୟରେ ପ୍ରଥମେ ଭଗ୍ନାବଶେଷ ହଟାଇବା କାମ ଆରମ୍ଭ କରିଥିଲା। ଏହାପରେ ଧୀରେଧୀରେ ଭାଙ୍ଗିଯାଇଥିବା କୋଠାଗୁଡ଼ିକର ମରାମତି କରୁଛି।। ମୌଲାନା ଆବୁ ଜାରଙ୍କୁ ଲସ୍କରର ମୁଖ୍ୟାଳୟ ପୁନଃନିର୍ମାଣ ଦାୟିତ୍ୱ ଦିଆଯାଇଛି। ଲସ୍କର ବର୍ତ୍ତମାନ ବାହାବଲପୁରର ମର୍କଜ ଆକ୍ସାକୁ ତାର ତାଲିମ ଶିବିର ସ୍ଥାନାନ୍ତର କରିଛି।
ଲସ୍କର ତାର ଆତଙ୍କବାଦୀ ଘାଟି ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପାଣ୍ଠି ବନ୍ୟା ପୀଡିତଙ୍କ ନାମରେ ସଂଗ୍ରହ କରାଯାଉଛି। ପାକିସ୍ତାନ ସରକାର ମଧ୍ୟ ଏଥିରେ ସାହାଯ୍ୟ କରୁଛି। ଲସ୍କର ଅଗଷ୍ଟ ମାସରେ ପାକିସ୍ତାନ ସରକାରଙ୍କଠାରୁ ୧.୨୫ କୋଟି ଟଙ୍କା ପାଇଥିଲା, କିନ୍ତୁ କୋଠା ନିର୍ମାଣ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିବାରୁ ଏବେ ଚାନ୍ଦା ସଂଗ୍ରହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/15/7d5cd9e9-6c5e-43d2-966f-be0f748ad81f-2025-09-15-16-33-59.jpg)