ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ଛାଡ଼ିଥିଲା ପାକିସ୍ତାନ

ଆକ୍ରମଣ ହେବ ବୋଲି ଶୁଣିବା ମାତ୍ରେ ଥରୁଥିଲେ ବାଜୱା: ପାକିସ୍ତାନୀ ସାଂସଦ

ନୁଆଦିଲ୍ଲୀ: ଗତବର୍ଷ ଫେବ୍ରୁଆରି ମାସରେ ପାକିସ୍ତାନର ଯୁଦ୍ଧବିମାନ ଏଫ୍‌-୧୬କୁ ଖସେଇଦେବା ପରେ ପାକିସ୍ତାନ ମାଟିରେ ଧରାପଡ଼ିଥିବା ଭାରତର ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଛାଡ଼ିଦେବା ପାଇଁ ଯେତେବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ବାଧ୍ୟ କରିଥିଲେ, ସେତେବେଳେ ସେନାଧ୍ୟକ୍ଷ କମର ଜାଭେଦ ବାଜଵାଙ୍କ ଗୋଡ଼ହାତ ଥରିବାକୁ ଲାଗିଥିଲା। ଏଭଳି ସମ୍ବେଦନଶୀଳ କଥା ପାକିସ୍ତାନୀ ସାଂସଦ ଆୟାଜ ସାଦିକ୍‌ ଗୁରୁବାର ସାର୍ବଜନୀନ କରିଛନ୍ତି। ଗତବର୍ଷର ସେହି ଚାଞ୍ଚଲ୍ୟକର ମୁହୂର୍ତ୍ତକୁ ମନେ ପକାଇ ପାକିସ୍ତାନ ମୁସଲିମ୍‌ ଲିଗ୍‌(ଏନ୍‌) ନେତା ସାଦିକ୍‌ ଗୁରୁବାର ସଂସଦ ଭିତରେ କହିଛନ୍ତି ଯେ ବୈଦେଶିକ ମନ୍ତ୍ରୀ କ୍ୟୁରେସି ଥିବା ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମନାକରିଦେଇଥିଲେ। ତେବେ ସେନାଧ୍ୟକ୍ଷ ବାଜଵା ବୈଠକଗୃହକୁ ପ୍ରବେଶ କଲାବେଳକୁ ଭୟରେ ତାଙ୍କ ଗୋଡ଼ହାତ ଥରୁଥିଲା ଏବଂ ଦେହରୁ ଝାଳ ବାହାରୁଥିଲା। ଏତିକିବେଳେ କ୍ୟୁରେସି କହିଥିଲେ, ‘ଆଲ୍ଲାଙ୍କ ରାଣ, ଅଭିନନ୍ଦନଙ୍କୁ ଯିବାକୁ ଦିଅ, ଅନ୍ୟଥା ରାତି ୯ଟାରେ ଭାରତ ଆମ ଉପରେ ଆକ୍ରମଣ କରିବ।

ସାଦିକ୍‌ ପାକିସ୍ତାନୀ ଗଣମାଧ୍ୟମ ‘ଦୁନିଆ ନ୍ୟୁଜ୍‌’କୁ କହିଛନ୍ତି ଯେ, ଅଭିନନ୍ଦନ ଘଟଣା ସମେତ ସମସ୍ତ ପ୍ରସଙ୍ଗରେ ତାଙ୍କ ଦଳ ସରକାରଙ୍କୁ ସମର୍ଥନ କରି ଆସିଛି, ମାତ୍ର ତାଙ୍କୁ ମୋଦୀଙ୍କ ବନ୍ଧୁ ବୋଲି କହି ବ୍ୟକ୍ତିଗତ ଆକ୍ଷେପ କଲେ ସେ ଆଉ ସହିବେନି। ସୂଚନାଯୋଗ୍ୟ, ପାକିସ୍ତାନ ମୁସଲିମ୍‌ ଲିଗ୍‌(ଏନ୍‌) ନେତୃତ୍ବରେ ପାକିସ୍ତାନର ୧୧ଟି ବିରୋଧୀ ଦଳ ଶୋଭାଯାତ୍ରାମାନ ଆୟୋଜନ କରି ଇମ୍ରାନ୍‌ ଖାଁଙ୍କ ସରକାରକୁ ଦେଶର ସେନା ଦ୍ବାରା ବଛାଯାଇଥିବା ଏକ ସଖୀ କଣ୍ଢେଇ ଶାସକ ଭାବେ ସମାଲୋଚନା କରୁଥିବା ବେଳେ ସାଦିକ୍‌ଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ବ ବହନ କରୁଛି। ଅପରପକ୍ଷେ, ପାକିସ୍ତାନ ସଂସଦରେ ମଧ୍ୟ ସାଦିକ୍‌ ଦେଇଥିବା ଏହି ବକ୍ତବ୍ୟର ଭିଡିଓ କ୍ଲିପ୍‌ ଟ୍ବିଟ୍‌ କରି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା କଂଗ୍ରେସକୁ ନିଶାଣ କରିଛନ୍ତି। ଭାରତୀୟ ସେନା ବା ସରକାର ହେଉ କିମ୍ବା ଦେଶବାସୀ ହୁଅନ୍ତୁ, କାହା ଉପରେ ବି କଂଗ୍ରେସ ରାଜକୁମାର ରାହୁଲ ଗାନ୍ଧିଙ୍କ ଭରସା ନାହିଁ। ସେମାନେ ଏବେ ତାଙ୍କର ସବୁଠୁ ବିଶ୍ବସ୍ତ ବନ୍ଧୁ ପାକିସ୍ତାନ କଥା ଶୁଣନ୍ତୁ ବୋଲି ନଡ୍ଡା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି। କଂଗ୍ରେସ ଦଳ ସର୍ବଦା ସେନାକୁ ଦୁର୍ବଳ କରିବାରେ ବ୍ୟସ୍ତ ବୋଲି ନଡ୍ଡା କହିଛନ୍ତି।

କ୍ୟୁରେସି କହିଥିଲେ-ଆଲ୍ଲାଙ୍କ ରାଣ, ଅଭିନନ୍ଦନଙ୍କୁ ଯିବାକୁ ଦିଅ
ଭାରତୀୟ ସେନା ପ୍ରତି ଭୟ ବାଜଵାଙ୍କ ଝାଳ ବୁହାଇଥିଲା: ଧନୋଆ

ନୁଆଦିଲ୍ଲୀ: ପାକିସ୍ତାନ ମାଟିରେ ଧରାପଡ଼ିଥିବା ଭାରତୀୟ ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ମୁକ୍ତ କରିବା ଛଡ଼ା ଅନ୍ୟ ଉପାୟ ନଥିଲା ବୋଲି ଭାରତର ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ ବି ଏସ୍‌ ଧନୋଆ କହିଛନ୍ତି। ଅନ୍ୟଥା ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥାନ୍ତା ବୋଲି ପାକିସ୍ତାନୀ ସାଂସଦ ଆୟାଜ ସାଦିକ୍‌ ଦେଇଥିବା ବୟାନକୁ ଭିତ୍ତି କରି ଧନୋଆ କହିଛନ୍ତି ଯେ ଭାରତର ଦକ୍ଷତା ସମ୍ପର୍କରେ ପାକିସ୍ତାରା ପୂରାପୂରି ଅବଗତ। ତେଣୁ ଅଭିନନ୍ଦନଙ୍କର କୌଣସି ପ୍ରକାର କ୍ଷତି ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମଧ୍ୟ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେସି ଅନୁଭବ କରିଥିଲେ। ଏହା ପଛରେ ଦୁଇଟି କାରଣ ଚାପ ଥିଲା; ଗୋଟିଏ କୂଟନୈତିକ ଓ ଅନ୍ୟଟି ସାମରିକ। ଭାରତର ତିନି ସାମରିକ ବାହିନୀର ଆକ୍ରମଣାତ୍ମକ ଦକ୍ଷତା ହୃଦୟଙ୍ଗମ କରି ପାକିସ୍ତାନୀ ସେନାଧ୍ୟକ୍ଷ କମର ଜାଭେଦ ବାଜଵାଙ୍କ ଦେହରୁ ଗୋଟା ପଣେ ଝାଳ ବାହାରିବାକୁ ଲାଗିଥିଲା ବୋଲି ଧନୋଆ କହିଛନ୍ତି।

ସମ୍ବନ୍ଧିତ ଖବର