ଜାତିସଂଘକୁ ପାକିସ୍ତାନର ଚିଠି, ଭାରତ କ୍ଷେପଣାସ୍ତ୍ର ମୁତୟନ କରିଛି

ଇସଲାମାବାଦ୍‌ : ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଜାତିସଂଘକୁ ଚିଠି ଲେଖି ଭାରତ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଭାରତ ସୀମାରେ ବଭିନ୍ନ ରେଂଜ୍‌ର କ୍ଷେପଣାସ୍ତ୍ର ମୁତୟନ କରିଛି ଏବଂ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି ବୋଲି କୁରେସି କହିଛନ୍ତି। କଶ୍ମୀର‌ରେ ଉପୁଜିଥିବା ଗମ୍ଭୀର ସ୍ଥିତିରୁ ନଜର ହଟାଇବା ପାଇଁ ଭାରତ ପାକିସ୍ତାନ ବିରୋଧରେ ‌କ୍ଷେପଣାସ୍ତ୍ର ଆକ୍ରମଣ କରିପାରେ ବୋଲି କୁରେସି ଜାତିସଂଘ ମହାସଚିବଙ୍କ ନିକଟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି। ଗତ ୧୨ ତାରିଖରେ କୁରେଶି ଜାତିସଂଘ ସୁରକ୍ଷା ପରିଷଦ ଏବଂ ଜାତିସଂଘ ମହାସଚିବଙ୍କୁ ସପ୍ତମ ଚିଠି ଲେଖି ଭାରତ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। କଶ୍ମୀର ସ୍ଥିତିରୁ ବିଶ୍ବ ସମୁଦାୟର ନଜର ହଟାଇବାପାଇଁ ଭାରତ ଅଚାନକ ବଡ଼ ଆକ୍ରମଣ କରିପାରେ ବୋଲି କୁରେସି ‌ଚେତାବନୀ ଦେଇଛନ୍ତି। ଦକ୍ଷିଣ ଏସିଆରେ ଶାନ୍ତି ପ୍ରତି ଥିବା ବିପଦକୁ ଟାଳିବା ପାଇଁ ଜାତିସଂଘ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ମଧ୍ୟ କୁରେସିଙ୍କ ଦ୍ବାରା ଏହି ପ୍ରସଙ୍ଗରେ ଜାତିସଂଘକୁ ୬ଟି ଚିଠି ଲେଖାଯାଇଥିଲା।

ସମ୍ବନ୍ଧିତ ଖବର