ଇସ୍‌ଲାମାବାଦ୍‌: ପାକିସ୍ତାନର ଏକ ଶୀର୍ଷ ଅଦାଲତ ଅନ୍ତର୍ଜାତୀୟ କୁଖ୍ୟାତି ଥିବା ଆତଙ୍କବାଦୀ ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌ଙ୍କ ପରିଚାଳିତ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ଵା ଓ ଫାଲା-ଇ-ଇନ୍‌ସାନିୟତ୍‌ ଫାଉଣ୍ଡେସନ୍‌ ଆଉ ‘ନିଷିଦ୍ଧ ଘୋଷିତ’ ସଂଗଠନ ତାଲିକାରେ ନାହିଁ ବୋଲି ଏକ ରାୟରେ କହିଛନ୍ତି । ଏଥିପୂର୍ବରୁ ପାକିସ୍ତାନରେ ନିଷିଦ୍ଧ ଘୋଷିତ ସଂଗଠନ ତାଲିକାରେ ଏହି ଦୁଇ ସଂଗଠନର ନାମ ଥିବା ସୂଚନା ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ କି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ସଂଗଠନଗୁଡ଼ିକୁ ନିଷିଦ୍ଧ କରିବା ନେଇ ଆମେରିକା ପାକିସ୍ତାନକୁ କହି ଆସୁଥିଲେ ମଧ୍ୟ ଏ ଦିଗରେ ପାକିସ୍ତାନ୍‌ ପଦକ୍ଷେପ ନେଉ ନ ଥିଲା। ଏହାପରେ ପାକିସ୍ତାନ ଉପରେ ଆର୍ଥକ କଟକଣା ଲଗାଇ ଅନୁଦାନ ବନ୍ଦ କରି ଦେଇଥିଲା। ଫଳରେ ଅବସ୍ଥାରେ ପଡ଼ି ତତ୍କାଳୀନ ପାକ୍‌ ରାଷ୍ଟ୍ରପତି ମାମୁନୁନ୍‌ ହୁସେନ୍‌ ଏକ ଅଧ୍ୟାଦେଶ ଆଣି ପାକିସ୍ତାନର ପ୍ରଚଳିତ ଆତଙ୍କବାଦୀ ନିିରୋଧି ଆଇନରେ ପରିବର୍ତ୍ତନ କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିଷିଦ୍ଧ ଘୋଷିତ ସମସ୍ତ ସଂଗଠନ ପାକିସ୍ତାନରେ ନିଷିଦ୍ଧ କରାଯିବ ବୋଲି ଅଧ୍ୟାଦେଶରେ ଦର୍ଶାଯାଇଥିଲା। ଫଳରେ ହାଫିଜ୍‌ ସଇଦ୍‌ଙ୍କ ପରିଚାଳିତ ଏହି ଦୁଇ ସଂଗଠନ ନିଷିଦ୍ଧ ହୋଇଥିଲା।

ଏହାପରେ ପାକ୍‌ ପାର୍ଲାମେଣ୍ଟରେ ଏହି ଅଧ୍ୟାଦେଶ ପାରିତ ନ ହେବାରୁ ଏହା ବଳବତ୍ତର ରହିନାହିଁ। ଫଳରେଏ ନେଇ ହାଫିଜ୍‌ ସଇଦ୍‌ଙ୍କ ପକ୍ଷରୁ ଇସ୍‌ଲାମବାଦ୍‌ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇ ଜାମତ୍‌-ଉଦ୍‌-ଦାଓ୍ଵା ଏବଂ ଫଲ୍ଲା-ଇ-ଇନ୍‌ସାନିୟତ୍‌ ଫାଉଣ୍ଡେସନ୍‌ ଆଉ ନିଷିଦ୍ଧ ଘୋଷିତ ସଂଗଠନ ତାଲିକାରେ ରହିବା ଅନାବଶ୍ୟକ ବୋଲି ଦାବି ଉପସ୍ଥାପନା କରିଥିଲେ। ଏହାକୁ ବିଚାର କରି ହାଇକୋର୍ଟ ରାୟ ଦେଇଛନ୍ତି କି ହାଫିଜ୍‌ ସଇଦ୍‌ଙ୍କ ଏହି ଦୁଇ ସଂଗଠନ ଆଉ ଆଇନଗତ ଭାବେ ନିଷିଦ୍ଧ ନୁହେଁ।