ଇସ୍ଲାମ୍ବାଦ୍: ଗତକାଲି ସଂଧ୍ୟାରେ ଚନ୍ଦ୍ରରେ ଅବତରଣ କରି ଭାରତ ଇତିହାସ ରଚିଥିବା ବେଳେ ଏହାକୁ ନେଇ ବିଭିନ୍ନ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ୍ ମିଡିଆରେ ଏବେ ପାକିସ୍ତାନର ଏକ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଜଣେ ପାକିସ୍ତାନୀ ‘ଆମେ ଚାନ୍ଦରେ ଅଛୁ’ ବୋଲି କହୁଥିବାର ଶୁଣିବାକୁ ମିଳିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନୀ ବ୍ୟକ୍ତି ଜଣଙ୍କୁ ଭାରତର ‘ଚନ୍ଦ୍ରଯାନ-୩’ର ସଫଳତାକୁ ନେଇ ପ୍ରଶ୍ନ ପଚରାଯାଉଛି। ଯାହାର ଉତ୍ତରରେ ବ୍ୟକ୍ତି ଜଣକ କହୁଛନ୍ତି, ‘ଆମେ ତ ଚାନ୍ଦରେ ରହୁଛୁ’। ତା’ପରେ ରିପୋର୍ଟର କହୁଛନ୍ତି, ‘ନାଇଁ ଆମେ ଚାନ୍ଦରେ କିପରି ରହୁଛୁ? ଆମେ ତ ଚାନ୍ଦରେ ରହୁନାହୁଁ’? ଏହାପରେ ବ୍ୟକ୍ତି ଜଣକ ଉତ୍ତର ଦେଉଛନ୍ତି, ‘ଚାନ୍ଦରେ ପାଣି ଅଛି? ଚାନ୍ଦରେ ଗ୍ୟାସ୍ ଅଛି? ଚାନ୍ଦରେ ବିଦ୍ୟୁତ୍ ଅଛି?’ ରିପୋର୍ଟରେ ଜଣକ ନା କହିବା ପରେ ବ୍ୟକ୍ତି ଜଣକ କହୁଛନ୍ତି କି ଏସବୁ ଜିନିଷ ଏଠି ବି ନାହିଁ। ସେ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ନଥିବା ବେଳେ ଅନ୍ଧକାର ଆଡ଼କୁ ରିପୋର୍ଟରଙ୍କୁ ଦେଖାଇ ‘ଦେଖ ଏଠାରେ ବି ଅନ୍ଧାର’ ବୋଲି କହୁଛନ୍ତି। ଅର୍ଥାତ ଭାରତର ଚନ୍ଦ୍ରାବତରଣ ପ୍ରସଙ୍ଗରେ ସେ ନିଜ ଅଂଚଳର ଅଭାବ-ଅସୁବିଧାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛନ୍ତି।
ଆପଣ ଜାଣନ୍ତି ଯେ ବୁଧବାର ସଂଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ଲ୍ୟାଣ୍ଡ୍ର ଅବତରଣ କରିବା ପରେ ରୋଭର ସେଥିରୁ ବାହାରି ସାରିଲାଣି। ଏବେ ୧୪ ଦିନ (ଚନ୍ଦ୍ରପୃଷ୍ଠର ୧ ଦିନ) ଘୂରିବା ପରେ ସେଠାକାର ବାତାବରଣ ସଂପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ସୂଚନା ପ୍ରଦାନ କରିବ।