ପିଓକେରୁ କିଛି ଅଂଶ ବିକ୍ରି ପାଇଁ ଯୋଜନା କରୁଛି ପାକ୍‌ ! ଭାରତ କରିବ ତୀବ୍ର ବିରୋଧ

ଇସ୍‌ଲାମାବାଦ: ବିକ୍ରି ହୋଇଯିବ କି ପାକିସ୍ତାନ ? ଋଣରେ ବୁଡ଼ି ରହିଥିବା ପାକିସ୍ତାନ ପାଇଁ ଏହି ସଙ୍କଟରୁ ବାହାରିବା ପାଇଁ ହୁଏତ ଆଉ କୌଣସି ରାସ୍ତା ନାହିଁ । ଯେଉଁଥିପାଇଁ କୁହାଯାଉଛି, ନିଜ ଦେଶରୁ କିଛି ଅଂଶ ବିକ୍ରି କରିପାରେ ପାକିସ୍ତାନ ।

ପାକିସ୍ତାନର ଅର୍ଥବ୍ୟବସ୍ଥା, ଏମିତି ଭୁଶୁଡ଼ି ପଡିଛି ଯେ, ଚୀନର ଋଣ ଶୁଝିବା ପାଇଁ ଅନେକ ବାଟ କାଢିବାକୁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ? ଆଉ ଏଭଳି ସ୍ଥିତିରେ କୁହାଯାଉଛି ଯେ, ଋଣ ପରିଶୋଧ କରିବା ପାଇଁ ନିଜ ଦେଶରୁ କିଛି ଅଂଶ ଚୀନକୁ ବିକ୍ରି କରିଦେବ ପାକିସ୍ତାନ । ପାକିସ୍ତାନ ଅଧୀକୃତ କାଶ୍ମୀରରୁ କିଛି ଅଂଶ ଚୀନକୁ ଦେଇପାରନ୍ତି ଇମ୍ରାନ ସରକାର ।ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ପାକିସ୍ତାନ ଏଭଳି ନିଷ୍ପତ୍ତିି ନିଏ, ତେବେ ଭାରତ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିବ । ପୂର୍ବରୁ ପିଓକେକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି । ଭାରତ ସବୁବେଳେ ନିଜ ବିରୋଧ ଜଣାଇବା ସହ ପିଓକେ ଜାମ୍ମୁକାଶ୍ମୀରର ଅଂଶ ବୋଲି ଦାବି କରିଆସୁଛି । ଆଉ ଏମିତି ସ୍ଥିତିରେ ଯଦି ପିଓକେର କିଛି ଅଂଶ ପାକିସ୍ତାନ ଚୀନକୁ ଦେଇଦିଏ, ତେବେ ଦୁଇ ଦେଶ ମଧ୍ୟରେ ଥିବା ବିବାଦ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି ।

ପାକିସ୍ତାନର ଅର୍ଥବ୍ୟବସ୍ଥା ଦିନକୁ ଦିନ ଯେତିକି ତଳକୁ ଖସୁଛି, ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବଢି ବଢି ଚାଲିଛି । ଯେଉଁଥିପାଇଁ ଏକ ଦରିଦ୍ର ଦେଶ ହେବାକୁ ଯାଉଛି ପାକିସ୍ତାନ । ପାକିସ୍ତାନ ଅଧିବାସୀ ମହଙ୍ଗା ମାଡରେ ଘାଇଲା ହେଉଥିବା ବେଳେ ଏହାକୁ କିନ୍ତୁ ମାନିବାକୁ ନାରାଜ ଇମ୍ରାନ୍ ସରକାର ।

ମିଳିଥିବା ରିପୋର୍ଟ ଅନୁଯାୟୀ, ପାଖାପାଖି ୬୦ ଅରବ ଡଲାରର ସିପିଇସି ପ୍ରକଳ୍ପ ପାଇଁ ୨୦୧୯ ଡିସେମ୍ବର ମାସ ସୁଦ୍ଧା ଚୀନ୍ ଠାରୁ ୨୧.୭ ଅରବ ଡଲାରର ଋଣ ନେଇସାରିଛି ପାକିସ୍ତାନ। ଆଉ ଚୀନକୁ ଏହି ଋଣ ପରିଶୋଧ କରିବା ଏବେ କାଠିକର ପାଠ ହୋଇପଡିଛି । ଏଭଳି ସ୍ଥିତିରେ ନିଜ ଦେଶର କିଛି ଅଂଶ ବିକ୍ରି କରିବାକୁ ନିଷ୍ପତ୍ତି ନେଇପାରେ ପାକିସ୍ତାନ ।

ସମ୍ବନ୍ଧିତ ଖବର