ନୂଆଦିଲ୍ଲୀ : ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଜୈସ୍-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରକୁ ନେଇ ପାକିସ୍ତାନ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରାଗଲେ ପାକିସ୍ତାନ ତାହାର ବିରୋଧ କରିବ ନାହିଁ ବୋଲି ସୂଚନା ମିଳିଛି । ଏହା ସହ ପାକ୍ରେ ଥିବା ସବୁ ପ୍ରତିବନ୍ଧିତ ସଂଗଠନ ଏବଂ ଜୈସ୍ର ମୁଖ୍ୟଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ଗ୍ରହଣ କରିବାକୁ ଯାଉଥିବା ଜଣାପଡ଼ିଛି । ରବିବାର ଏକ ରିପୋର୍ଟରୁ ଖବରଟି ସାମ୍ନାକୁ ଆସିଛି ।
/sambad/media/post_attachments/wp-content/uploads/2019/03/download-11.jpg)
ସୂଚନା ମୁତାବକ, ବୁଧବାର ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ପାକିସ୍ତାନରେ ରହୁଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଲେ, ଆଝାର କୌଣସି ଦେଶକୁ ଯାତ୍ରା ନ କରି ପାରିବା ସହ ତାଙ୍କର ସବୁ ସମ୍ପତି ନିଲାମ ହୋଇଯିବ । ଏହି ପ୍ରସ୍ତାବ ଦିଆଯିବା ପରେ ପ୍ରଥମେ ପାକ୍ ଏହାକୁ ବିରୋଧ କରିଥିବା ବେଳେ ବର୍ତ୍ତମାନର ପରିସ୍ଥିତି ଦେଖି ପାକିସ୍ତାନ ଏହାର ବିରୋଧ କରିବ ନାହିଁ ବୋଲି ସାମ୍ନାକୁ ଆସିଛି । ମାସୁଦ୍ ଏବଂ ତା’ର ସଂଗଠନ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ଗ୍ରହଣ କରିବ, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାସୁଦ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାରେ ସେ ବିରୋଧ କରିବା ନାହିଁ ବୋଲି ସ୍ପଷ୍ଟ ହୋଇଛି ।