ଭାରତୀୟ ଆକାଶ ସୀମା ଭିତରକୁ ପଶି ଆସିଲା ପାକିସ୍ତାନର ସାମରିକ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାନ୍ତରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ, ଆଜି ପୂର୍ବହ୍ନରେ ପାକିସ୍ତାନର ଏକ ସାମରିକ ହେଲିକପ୍ଟର ଭାରତୀୟ ଆକାଶ ସୀମାର ପ୍ରାୟ ୩୦୦ ମିଟର ଭିତରକୁ ପଶିଆସି ଜମ୍ମୁ- କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଉପରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି ଉଡ଼ିବା ପରେ ହେଲିକପ୍ଟରଟି ଫେରି ଯାଇଥିଲା। ଏହି ଘଟଣା ଆଜି ପୂର୍ବାହ୍ନ ୯ଟା ୪୫ରୁ ୧୦ଟା ମଧ୍ୟରେ ଘଟିଥିଲା ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ପ୍ରକାଶ। ତେବେ, ଏହି ଘଟଣା ପାଇଁ କୌଣସି ଦେଶ ପକ୍ଷରୁ କୌଣସି ପ୍ରକାରର ଗୁଳିଗୋଳା ଚାଲି ନ ଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ପକ୍ଷରୁ ନିୟମିତ ବ୍ୟବଧାନରେ ଅସ୍ତ୍ରବିରତି ଉଲ୍ଲଂଘନ ଚାଲିଛି। ଗତ ୧୯ ତାରିଖ ରାତିରେ ଜମ୍ମୁ- କଶ୍କୀରର ଉରି ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ଘଟଣାରେ ଭାରତର ତିନିଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିଲେ। ଗତ ୨୦୧୭ରେ ପାକିସ୍ତାନ ପକ୍ଷରୁ ୮୬୦ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର