ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ସଂପର୍କ ଅତି ତିକ୍ତ ହୋଇଉଠିଥିବା ବେଳେ ଏବେ ପାକିସ୍ତାନ ପୁଣି ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଛି। ପାକିସ୍ତାନର ବିଳାସପୂର୍ଣ୍ଣ ହୋଟେଲ୍‌ ସେରେନାରେ ଗତକାଲି ଭାରତୀୟ ହାଇ କମିସନର ଅଜୟ ବିସାରିଆଙ୍କ ଦ୍ବାରା ଆୟୋଜିତ ଇଫ୍‌ତାର ଭୋଜିରେ ପାକ୍‌ ସୁରକ୍ଷା କର୍ମୀମାନେ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ସୁରକ୍ଷା ଯାଞ୍ଚ ଆଳରେ ପାକିସ୍ତାନୀ ନିରାପତ୍ତା ବାହିନୀ ଅଚାନକ ହୋଟେଲ୍‌କୁ ଘେରିଯାଇ ନିମନ୍ତ୍ରିତ ଅତିଥିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଫେରିଯିବାକୁ ବାଧ୍ୟ କରିଥିଲେ। ପାକ୍‌ ସୁରକ୍ଷା କର୍ମୀଙ୍କ ଉତ୍ପୀଡ଼ନରେ ଶତାଧିକ ଅତିଥି ଫେରିଯିବାକୁ ବାଧ୍ୟ ହୋଇଥିଲେ। ଅନେକ ଅତିଥିଙ୍କୁ ହୋଟେଲ ରୁମ୍‌ରେ ଅଟକ ରଖି ଜେରା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପାକ୍‌ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ଭାରତ ମଧ୍ୟ ଏହାର ଜୋର୍‌ଦାର ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Advertisment

ବିସାରିଆଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଇଫ୍‌ତାର ଭୋଜିରେ ଯୋଗଦେବାପାଇଁ ଅତିଥିମାନେ ହୋଟେଲ୍‌ରେ ପହଂଚିବା ମାତ୍ରେ ସେଠାରେ ଉପସ୍ଥିତ ପାକିସ୍ତାନୀ ଅଧିକାରୀମାନେ ସେମାନଙ୍କୁ ଜେରା ଆରମ୍ଭ କରିଦେଇଥିଲେ। ଅତିଥିଙ୍କ ନିମନ୍ତ୍ରଣ ପତ୍ର ଏବଂ ପରିଚୟ ପତ୍ର ଇତ୍ୟାଦି ପାକିସ୍ତାନୀ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରିଥିଲେ। ସୁରକ୍ଷା କର୍ମୀମାନେ ଅତିଥିମାନଙ୍କୁ ଭିନ୍ନ ଭିନ୍ନ କୋଠରୀକୁ ନେଇ ସେମାନଙ୍କର ବୃତ୍ତି, ଘର ଠିକଣା ଆଦି ବିଷୟରେ ପଚରାଉଚରା କରି ଅପମାନିତ କରିଥିଲେ। କେତେକ ଅତିଥିଙ୍କର ମୋବାଇଲ୍‌ ଫୋନ୍‌ ମଧ୍ୟ ଛଡ଼ାଇ ନେଇଥିଲେ। ଅନେକ ଅତିଥିଙ୍କୁ ଫୋନ୍‌ କରି କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ଧମକ ମଧ୍ୟ ଦିଆଯାଇଥିବା ସେମାନେ ପ୍ରକାଶ କରିଛନ୍ତି।

ଲାହୋର, କରାଚୀ ଆଦି ସହରରୁ ଆସିଥିବା ପାକିସ୍ତାନୀ ସାମ୍ବାଦିକ, ଲେଖକ ଏବଂ ରାଜନେତା ଏଥିରୁ ବାଦ ପଡ଼ିନଥିଲେ। ଜଣେ ପାକିସ୍ତାନୀ ସାମ୍ବାଦିକା ମେହରିନ ମଲ୍ଲିକ ଟ୍ବିଟ୍‌ କରି କହିଛନ୍ତି, ଅତିଥିମାନେ ହୋଟେଲ୍‌ରେ ପ୍ରବେଶ କରିବା ମାତ୍ରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଦୁର୍ବ୍ୟବହାର ଆରମ୍ଭ କରିଦେଇଥିଲେ। ଅତିଥିମାନଙ୍କୁ ଫେରିଯିବା ପାଇଁ ବାଧ୍ୟ କରିବା ନିମନ୍ତେ ଏଭଳି କରାଯାଇଥିବା ସେ କହିଛନ୍ତି। ଅନ୍ୟ କେତେକ ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ସୁରକ୍ଷା ଯାଞ୍ଚ ଏବଂ ପାକିସ୍ତାନୀ ଅଧକାରୀଙ୍କ ଦ୍ୱାରା ପଚରାଉଚରାକୁ ଏଡ଼ାଇବା ପାଇଁ ଭୋଜି‌େର ଯୋଗଦେଇ ନାହାନ୍ତି। ପାକିସ୍ତାନ ପିପୁଲ୍‌ସ ପାର୍ଟିର ବରିଷ୍ଠ ନେତା ଫରହାତୁଲ୍ଲା ବାବରଙ୍କୁ ମଧ୍ୟ ପାକିସ୍ତାନୀ ଅଧିକାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ବାବର ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ତାଙ୍କୁ ପଛପଟ ଗେଟ୍‌ ଦେଇ ପ୍ରବେଶ କରିବାକୁ କୁହାଯାଇଥିଲା ଏବଂ ଅଚାନକ ତାଙ୍କୁ ସୁରକ୍ଷା କର୍ମୀ ଘେରିଯାଇ ମାନସିକ ନିର୍ଯାତନା ଦେଇ ପ୍ରଶ୍ନ କରିଥିଲେ। ସେ ଏହାର ପ୍ରତିବାଦ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ।

ଗତ ସପ୍ତାହରେ ପାକିସ୍ତାନ ହାଇ କମିସନରଙ୍କ ଦ୍ୱାରା ଦିଲ୍ଲୀରେ ଆୟୋଜନ କରାଯାଇଥିବା ଇଫ୍‌ତାର ଭୋଜିରେ ମଧ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, କଳାକାର, ପାକିସ୍ତାନୀ ଛାତ୍ର ଏବଂ ଲେଖକ ଯୋଗଦେଇଥିଲେ। ଏଭଳି ସ୍ଥିତରେ ପାକିସ୍ତାନରେ ଭାରତୀୟ ହାଇ କମିସନରଙ୍କ ଇଫ୍‌ତାର ଭୋଜିରେ ଅତିଥିମାନଙ୍କୁ ହଇରାଣ କରାଯିବା ଏବଂ ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯିବା ଘଟଣା ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି। ପାକିସ୍ତାନ ଅନ୍ତର୍ଜାତୀୟ କୂଟନୀତିର ସର୍ତ୍ତକୁ ଉଲ୍ଲଂଘନ କରିଛି। କୂଟନୀତିଜ୍ଞଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ବୋଲି ଭାରତ କହିଛି। ପାକିସ୍ତାନ ସରକାର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରିବାକୁ ଭାରତ କହିଛି।