ଭାରତୀୟଙ୍କଠାରୁ ଅଧିକ ଖୁସି ପାକିସ୍ତାନୀ

ଓ୍ଵାର୍ଲ୍ଡ ହାପିନେସ୍‌ ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟମାନଙ୍କର ଖୁସି ଦିନକୁ ଦିନ କମି କମି ଯାଉଛି। କିନ୍ତୁ ପଡୋଶୀ ଚୀନ୍‌ ଓ ପାକିସ୍ତାନର ଲୋକେ ପୂର୍ବାପେକ୍ଷା ଅଧିକ ଖୁସିରେ ରହୁଛନ୍ତି। ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଓ୍ଵାର୍ଲ୍ଡ ହାପିନେସ୍‌ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୧୭ର ରିପୋର୍ଟ ମୁତାବକ, ୧୬୫ଟି ତାଲିକାଭୁକ୍ତ ଦେଶ ମଧ୍ୟରେ ଭାରତ ୪ଟି ସ୍ଥାନ ତଳକୁ ଖସି ୧୨୨ ନମ୍ବରରେ ଥିବା ବେଳେ ଚଳିତବର୍ଷ ଏହା ଆହୁରି ୧୧ଟି ସ୍ଥାନ ତଳକୁ ଖସି ୧୩୩ ନମ୍ବରକୁ ଆସିଛି। ‘ଆତଙ୍କବାଦୀ ରାଷ୍ଟ୍ର’ କୁହାଯାଉଥିବା ପାକିସ୍ତାନର ନାଗରିକମାନେ ଭାରତର ନାଗରିକଙ୍କ ଅପେକ୍ଷା ଅଧିକ ଖୁସିରେ ଅଛନ୍ତି। ୨୦୧୭ରେ ପାକିସ୍ତାନ ଏହି ତାଲିକାରେ ଭାରତଠାରୁ ଆଗୁଆ ଥିବା ବେଳେ ଚଳିତବର୍ଷ ମଧ୍ୟ ଆହୁରି ଉପରକୁ ଉଠି ୭୫ତମ ସ୍ଥାନରେ ପହଞ୍ଚିଛି। ସେପଟେ ଚୀନ୍‌ ମଧ୍ୟ ଏହି ତାଲିକାର ୮୬ତମ ସ୍ଥାନରେ ରହି ଭାରତଠାରୁ ଆଗୁଆ ରହିଛି। ଭୁଟାନ୍‌ ୯୭ତମ ସ୍ଥାନରେ ଥିବା ବେଳେ ନେପାଳ ୧୦୧, ବାଂଲାଦେଶ ୧୧୫, ଶ୍ରୀଲଙ୍କା ୧୧୬ ଓ ମ୍ୟାଁମାର ୧୩୦ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାର ସର୍ବାଗ୍ରେ ରହି ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ଆନନ୍ଦପୂର୍ଣ୍ଣ ଦେଶ ଭାବେ ନିଜକୁ ପ୍ରମାଣିତ କରିଥିବା ବେଳେ ନରେଓ୍ଵ ଓ ଡେନମାର୍କ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବୁରୁଣ୍ଡି ଏହି ତାଲିକାର ୧୫୬ତମ ସ୍ଥାନରେ ରହି ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଭାବେ ପରିଗଣିତ ହୋଇଛି। ୧୫୬ଟି ଦେଶର ତାଲିକାର ପ୍ରଥମ ୨୦ଟି ସ୍ଥାନ ମଧ୍ୟରେ ଏସିଆର ଗୋଟିଏ ବି ରାଷ୍ଟ୍ର ନଥିବା ବେଳେ ପ୍ରଥମ ୧୦ଟି ରାଷ୍ଟ୍ର ମଧ୍ୟରେ ୟୁରୋପର ୮ଟି ରାଷ୍ଟ୍ର ରହିଛି।

ସମ୍ବନ୍ଧିତ ଖବର