ମସ୍‌ଜିଦରେ ହୋଇଥିବା ବିସ୍ଫୋରଣ ପୁଲିସ୍ ବିରୋଧରେ ପ୍ରତିଶୋଧ ଆକ୍ରମଣ ଥିଲା: ପାକ୍ ପୁଲିସ

ଇସଲାମାବାଦ: ପାକିସ୍ତାନର ପେଶାୱାର ସ୍ଥିତ ଏକ ମସଜିଦରେ ଜାନୁଆରି ୩୦ରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ୧୦୦ଜଣକ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡାଇ ରଖୁଥିବା ପାକିସ୍ତାନ ଉପରେ କାହିଁକି ଏତେ ବଡ଼ ଆକ୍ରମଣ ହେଲା ଏ ପ୍ରଶ୍ନ ଉଠୁଥିବା ବେଳେ ଏବେ ଏହାର ଉତ୍ତର ରଖିଛି ପାକ୍ ପୁଲିସ। ମସ୍‌ଜିଦରେ ହୋଇଥିବା ବିସ୍ଫୋରଣ ପୁଲିସ୍ ବିରୋଧରେ ପ୍ରତିଶୋଧ ଆକ୍ରମଣ ଥିଲା ବୋଲି କହିଛି ପାକ୍ ପୁଲିସ।

ସୋମବାର ଦିନ ପାକିସ୍ତାନର ପେଶୱାର ସ୍ଥିତ ମସଜିଦ ପରିସରରେ ପ୍ରାୟ ୪୦୦ପୁଲିସ କର୍ମଚାରୀ ପ୍ରାର୍ଥନା କରିବା ପାଇଁ ଉପସ୍ଥିତ ଥିଲେ। ଏହି ସମୟ‌ରେ ଆତ୍ମଘାତୀ ବିସ୍ଫୋରଣକାରୀ ମସଜିଦ ଭିତରେ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା। ନଗର ପୁଲିସ ମହମ୍ମଦ ଇଜାଜ ଖାନ କହିଛନ୍ତି ଯେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକ୍ ପୁଲିସ ଆଗ ଧାଡ଼ିରେ ଥିବାରୁ ସେମାନଙ୍କୁ ଟାର୍ଗେଟ କରାଯାଉଛି। ଆମକୁ ମାନସିକ ସ୍ତରରେ ହତାଶ କରିବା ସେମାନଙ୍କ ଉଦ୍ଦେଶ୍ୟ।

ଉଲ୍ଲେଖଯୋଗ୍ୟ, ବିସ୍ଫୋରଣଟି ସ୍ଥାନୀୟ ସମୟ ଅପରାହ୍ନ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଥିଲା । ବିସ୍ଫୋରଣ ବେଳେ ଲୋକମାନେ ମସଜିଦରେ ପ୍ରାର୍ଥନା କରୁଥିଲେ । ବିସ୍ଫୋରଣ ପାଇଁ କୋଠାର ଏକ ଅଂଶ ଭୁସୁଡ଼ିପଡ଼ିବାରୁ କିଛି ଲୋକ ତାହା ତଳେ ରହିଯାଇଥିଲେ। ମସଜିଦ ଧ୍ୱଂସାବଶେଷରୁ ମୃତଦେହ ବାହାର କରି ଡାକ୍ତରଖାନାକୁ ପଠାଯିବା ପରେ ମଙ୍ଗଳବାର ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର