ପାକିସ୍ତାନ ଏନ୍‌ଏସ୍‌ଏଙ୍କ ଚାଞ୍ଚଲ୍ୟକର ବୟାନ: ତାଲିବାନକୁ ସ୍ବୀକୃତି ନ ଦେଲେ ଦ୍ବିତୀୟ ୯/୧୧ ଘଟିବ

ନୂଆଦିଲ୍ଲୀ: ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ମୋଇଦ ୟୁସୁଫ ବ୍ରିଟିସ ସମ୍ବାଦପତ୍ର ଦ ସନ୍‌ଡେ ଟାଇମ୍ସର ସାମ୍ବାଦିକ ଖ୍ରିଷ୍ଟିନା ଲ୍ୟାମ୍ବଙ୍କୁ ସାକ୍ଷାତ୍‌କାର ଦେବା ଅବସରରେ ତାଲିବାନକୁ ତୁରନ୍ତ ସ୍ବୀକୃତି ନ ଦେଲେ ପୁନଶ୍ଚ ଏକ ୯/୧୧ ଭଳି ଘଟଣା ଘଟିବ ବୋଲି ଚେତାବନୀ ଦେଇଛନ୍ତି। ଏ କଥା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ୟୁସୁଫ ଏବେ ‌କହୁଛନ୍ତି ଯେ ସେ ଅବିକଳ ସେଇଆ କହିନାହାନ୍ତି ଓ ତାଙ୍କ କଥାକୁ ବଦଳାଯାଇଛି। ୟୁସୁଫ ସନ୍‌ଡେ ଟାଇମ୍ସ ଆଗରେ ଏ ନେଇ ଅଭିଯୋଗ କରିବା ସହ ପ୍ରକାଶିତ ସାକ୍ଷାତ୍‌କାର ବାବଦରେ ଏକ ସ୍ପଷ୍ଟୀକରଣ ପ୍ରକାଶ କରିବାକୁ ଅନୁରୋଧ କରିଥିଛନ୍ତି। ଅନ୍ୟପକ୍ଷରେ ସାମ୍ବାଦିକ ଖ୍ରିଷ୍ଟିନା ଲ୍ୟାମ୍ବ କହିଛନ୍ତି ଯେ ସାକ୍ଷାତ୍‌କାରକୁ ରେକର୍ଡ କରାଯାଇଛି ଏବଂ ତାଙ୍କ କଥାକୁ ବଦଳାଯାଇଛି ବୋଲି ୟୁସୁଫ ଯାହା ଅଭିଯୋଗ କରିଛନ୍ତି ତାହା ମିଛ।

ୟୁସୁଫଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏ ବାବଦରେ ଏକ ସ୍ପଷ୍ଟୀକରଣ ଛାପିବା ପାଇଁ ଦାବି କରି ଇଂଲଣ୍ଡସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ମାଧ୍ୟମରେ ଆନୁଷ୍ଠାନିକ ଚିଠି ଲେଖାଯାଇଛି। କିନ୍ତୁ ୟୁସୁଫଙ୍କ ଅଭିଯୋଗ ମିଛ, ତାଙ୍କ ସାକ୍ଷାତ୍‌କାରର ରେକର୍ଡିଂ ଅଛି, ସେ ଯାହା କହିଛନ୍ତି ତାହା ଛପାଯାଇଛି ବୋଲି ସାମ୍ବାଦିକ ଲ୍ୟାମ୍ବ କହିଛନ୍ତି। ପାକିସ୍ତାନ ଏନ୍‌ଏସ୍‌ଏ ୟୁସୁଫ ନିଜେ କହିଥିବା କଥାକୁ ଅସ୍ବୀକାର କରିବା ପରେ ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା ହେଉଛି।

ସମ୍ବନ୍ଧିତ ଖବର