ନୂଆଦିଲ୍ଲୀ: ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ସୁଲତାନ କୋଟ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ ଯାଉଥିବା ବେଳେ ରେଳଧାରଣାରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍ (ଆଇଡି) ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା, ଯାହା ଫଳରେ ଲୋକେ ଆତଙ୍କିତ ହୋଇଯାଇଥିଲେ। ଏହି ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଏବଂ ବିସ୍ଫୋରଣ ପରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ସୂଚନା ମିଳିଛି।

Advertisment

କୁହାଯାଉଛି ଯେ, ଆକ୍ରମଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ସେହି ରୁଟରେ ରେଳ ଚଳାଚଳ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସୁରକ୍ଷା ବାହିନୀ, ସେହି ଅଞ୍ଚଳକୁ ଘେରାବନ୍ଦୀ କରି ବିସ୍ଫୋରକ ଉପକରଣ କିପରି ଲଗାଯାଇଥିଲା ସେ ବିଷୟରେ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହି  ଆକ୍ରମଣ ପୂର୍ବରୁ ଲଗାଯାଇଥିବା ବୋମା ସହିତ କରାଯାଇଥିଲା।

ଜାଫର ଏକ୍ସପ୍ରେସ୍ ଉପରେ ଆକ୍ରମଣ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବେଲୁଚିସ୍ତାନ ଅଞ୍ଚଳରେ ଏହି ଟ୍ରେନ୍ ଆତଙ୍କବାଦୀ ଆକ୍ରମଣର ଟାର୍ଗେଟରେ ଥିଲା। ଚଳିତ ବର୍ଷ ଅଗଷ୍ଟ ମାସରେ, ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାରେ ଟ୍ରେନ୍‌ର ଛଅଟି କୋଚକୁ ଟାର୍ଗେଟ କରି ଏକ ଆଇଇଡି ବିସ୍ଫୋରଣ କରାଯାଇଥିଲା। କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ଏବଂ ଟ୍ରେନ୍‌ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

ମାର୍ଚ୍ଚ ୨୦୨୫ରେ, ବାଲୁଚ୍ ଲିବରେସନ୍ ଆର୍ମି ବୋଲାନ୍ ପାସ୍ ନିକଟରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା। ମୋଟ ୪୦୦ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଟ୍ରେନ୍ ର ଅପହରଣ ପାକିସ୍ତାନ ଇତିହାସରେ ଏକ ବଡ଼ ଘଟଣା ଥିଲା। ଟ୍ରାକ୍ ଉଡ଼ାଇ ଦେବା ପାଇଁ ବିସ୍ଫୋରକ ବ୍ୟବହାର କରାଯାଇଥିଲା ଏବଂ ଖୋଲା ଗୁଳି ଚାଳନା କରାଯାଇଥିଲା। 

pakistan | jaffar-express