ଯୁଦ୍ଧ ଉତ୍ତେଜନା ବଢ଼ାଇବାକୁ ପ୍ରୟାସ, କ୍ଷେପଣାସ୍ତ୍ର ପରୀକ୍ଷା କରିବ ପାକିସ୍ତାନ

ଇସ୍‌ଲାମାବାଦ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ଭାରତ ହଟାଇ ଦେବା ପରେ ବିଚଳିତ ପାକିସ୍ତାନ ଏବେ ତୁହାକୁ ତୁହା ଯୁଦ୍ଧ ଧମକ ଦେବାରେ ଲାଗିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ୨ ଦିନ ତଳେ ପରମାଣୁ ଯୁଦ୍ଧ ଧମକ ଦେଇଥିବା ବେଳେ ଆଜି ପାକିସ୍ତାନ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଆଗୁଆ ସତର୍କ ସୂଚନା ଜାରି କରିଛି। ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଚୀ ନିକଟସ୍ଥ ସୋନାମିୟାନି ପରୀକ୍ଷଣ ରେଂଜ୍‌ରେ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ନୌସେନା ଏବଂ ବାୟୁସେନା ପାଇଁ ଆଗୁଆ ସତର୍କ ଚେତାବନୀ ଜାରି କରାଯାଇଛି । ପାକିସ୍ତାନର ରେଳ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ କହିଛନ୍ତି, ପାକିସ୍ତାନ ଏବଂ ଭାରତ ମଧ୍ୟରେ ଅକ୍ଟୋବର କିମ୍ବା ନଭେମ୍ବରରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଯାଇପାରେ। ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଯୁଦ୍ଧ ଧମକ ପରେ ଏବେ ଆଉ ଜଣେ ମନ୍ତ୍ରୀଙ୍କ ଯୁଦ୍ଧ ଧମକ ପାକିସ୍ତାନର ହତାଶାକୁ ସୂଚାଉଛି ବୋଲି ଭାରତ କହିଛି।

ପାକିସ୍ତାନ ଏବେ କରାଚୀ ବାୟୁସୀମାକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କରାଯିବାକୁ ଘୋଷଣା କରିଛି। ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ୍‌ ଜାରି କରି ୨୮ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟପ୍ତ ବାୟୁ ସୀମାର ୩ଟି ମାର୍ଗ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନର ସମ୍ଭାବ୍ୟ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଏହା କରାଯାଇଥିବା କୁହାଯାଉଛି।

ପାକିସ୍ତାନ ଏବେ ଯୁଦ୍ଧ ଉତ୍ତେଜନା ସୃଷ୍ଟି କରି କଶ୍ମୀର ମାମଲାରେ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଛି। ଜାତିସଂଘରୁ ନିରାଶ ହେବାପରେ ପାକିସ୍ତାନ ଅନ୍ୟ କୌଣସି ରାଷ୍ଟ୍ରରୁ ମଧ୍ୟ କଶ୍ମୀର ମାମଲାରେ ସମର୍ଥନ ପାଇନଥିଲା। କଶ୍ମୀରରେ ଆତଙ୍କବାଦକୁ ସମର୍ଥନ ନେଇ ପାକିସ୍ତାନ ଏକଘରିଆ ହୋଇଯିବାରୁ ଏବେ ନିଜ ଦେଶରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛି। ତେବେ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ପାକିସ୍ତାନକୁ ସଂଯମ ରକ୍ଷା କରିବାକୁ ଚେତାଇ ଦେଇଛନ୍ତି ଏବଂ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ସଂକ୍ରାନ୍ତ ଭାରତର ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଏହାର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର