ଭାରତ-ଚୀନ୍ ସୀମା ବିବାଦ ବେଳେ ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ଓ ଚୀନ୍ ସୀମାନ୍ତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୪୦୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବା କଥା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ସମ୍ପ୍ରତି ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କେତେକ ଲଞ୍ଚ୍‌ ପ୍ୟାଡ୍‌ରେ ପ୍ରାୟ ୪୦୦ ଆତଙ୍କବାଦୀ ସ‌ମବେତ ହୋଇଛନ୍ତି। ସେମାନଙ୍କୁ ବାସ୍ତବ ନିୟନ୍ତ୍ରଣ ରେଖା ପାର କରାଇବାରେ ପାକିସ୍ତାନ ସେନାର ‘ଏସ୍‌ଏସ୍‌ଜି’କୁ ଦାୟିତ୍ବ ଦିଆଯାଇଛି ବୋଲି ଗୁଇନ୍ଦ‌ୋ ରିପୋର୍ଟରୁ ସୂଚନା ମିଳିଛି।

‌ଏହାଛଡ଼ା ଭାରତୀୟ ନିରାପତ୍ତା ବଳଙ୍କୁ ଆକ୍ରମଣ କରିବାକୁ ପାକିସ୍ତାନ ସେନା ମଧ୍ୟ ‘ବର୍ଡର୍‌ ଆକ୍ସନ୍ ଟିମ୍’କୁ ସକ୍ରିୟ କରିଛି। ତେଣୁ ଅନେକ ଅଞ୍ଚଳରେ ଏହି ‘ବର୍ଡର୍‌ ଆକ୍ସନ୍ ଟିମ୍’ ଅତ୍ୟନ୍ତ କ୍ରିୟାଶୀଳ ହୋଇ ରହିଛନ୍ତି। ନିୟନ୍ତ୍ରଣ ରେଖା ପାଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ପାକିସ୍ତାନୀ ସେନା ଶିବିରରେ କେତେକ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି।

Image Courtesy of The Times of India

ଗୁଇନ୍ଦା ରିପୋର୍ଟ ଅନୁସାରେ, ଗୁରେଜ୍, ମଛଲ, କେରାନ ସେକ୍ଟର୍, ଟଙ୍ଗଧର ସେକ୍ଟର, ନୂଆଗାଁ ସେକ୍ଟର୍, ଉରି, ପୁଞ୍ଚ୍‌, ବିମ୍ଭାର ଗଳି, କୃଷ୍ଣା ଉପତ୍ୟକା ନିକଟବର୍ତ୍ତୀ ଲଞ୍ଚିଙ୍ଗ୍‌ ପ୍ୟାଡ୍‌, ନୌଶେରା, ଅଖନୂର ଏବଂ ଦ୍ରାସ୍‌ ସେକ୍ଟରରେ ବିପୁଳ ସଂଖ୍ୟକ ଆତଙ୍କବାଦୀ ସମବେତ ହେଉଛନ୍ତି।

ନିରାପତ୍ତା ଏଜେନ୍ସିଙ୍କ କହିବା ଅନୁସାରେ, ପାକିସ୍ତାନୀ ସେନା ଭାରତ ଓ ଚୀନ୍ ସୀମା ବିବାଦର ସୁଯୋଗ ନେବାକୁ ଉଦ୍ୟମ ଚଳାଇଛି। କିନ୍ତୁ, ନିୟନ୍ତ୍ରଣ ରେଖା ଅଞ୍ଚଳରେ ମଧ୍ୟ ଭାରତୀୟ ସେନା ସତର୍କ ରହିଛି। ତେଣୁ, ନିୟନ୍ତ୍ରଣ ରେଖା ଟପିବାକୁ ଆତଙ୍କବାଦୀ ମାନେ ଅନ୍ୟ ବାଟ ଖୋଜୁଛନ୍ତି।

 

ସମ୍ବନ୍ଧିତ ଖବର