ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମେ ୧୦ ତାରିଖ ସକାଳେ ଅପରେସନ୍ ସିନ୍ଦୂରର ଏକ ଅଂଶ ଭାବରେ ସେମାନଙ୍କ ପ୍ରମୁଖ ଏୟାର୍‌ବେସ୍ ଉପରେ ଭାରତର ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ଶୁକ୍ରବାର  ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରି ସରିଫ୍ କହିଛନ୍ତି ଯେ ଭାରତୀୟ ଅପରେସନ୍ ଆରମ୍ଭ ହେବାର କିଛି ସମୟ ପରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ତାଙ୍କୁ ରାତି ସାଢ଼େ ୨ଟାରେ ଉଠାଇ ଆକ୍ରମଣ ବିଷୟରେ ଅବଗତ କରାଇଥିଲେ।  

Advertisment

ବିଜେପିର ଜାତୀୟ ଆଇଟି ବିଭାଗର ମୁଖ୍ୟ ଅମିତ ମାଲବ୍ୟ ଏକ୍ସରେ ଶେହବାଜଙ୍କ ସ୍ବୀକାରୋକ୍ତିର ଭିଡିଓ ସେୟାର କରି ଭାରତର ସଫଳ ସାମରିକ କାର୍ଯ୍ୟାନୁଷ୍ଠାନ କିଭଳି ପାକିସ୍ତାନରେ ବିପର୍ଯ୍ୟୟ ଘଟାଇଛି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି। ଅପରେସନ ସିନ୍ଦୁର ଆମ ସେନାର ସାହସିକତା ଓ ଦକ୍ଷତାର ପ୍ରମାଣ ବୋଲି ସେ  ବର୍ଣ୍ଣନା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନିଜେ ସ୍ୱୀକାର କରିଛନ୍ତି ଯେ, ଜେନେରାଲ ଅସୀମ ମୁନିର ତାଙ୍କୁ ରାତି ୨ଟା ୩୦ରେ ଫୋନ୍ କରି ଜଣାଇଥିଲେ ଯେ  ‘ହମ୍‌ଲା ହୋ ଗୟା’ (ଆକ୍ରମଣ ହୋଇଛି), ଭାରତ ନୁର୍ ଖାନ୍ ଏୟାର୍‌ବେସ୍ ଓ ଅନ୍ୟାନ୍ୟ ସ୍ଥାନରେ ବୋମାମାଡ଼ କରିଛି। ପାକିସ୍ତାନ ଭିତରେ ଆକ୍ରମଣ ଖବର ପାଇ ପ୍ରଧାନମନ୍ତ୍ରୀ ମଧ୍ୟରାତ୍ରିରେ ଜାଗ୍ରତ ହୋଇଥିଲେ। ଏହା ‘ଅପରେସନ୍ ସିନ୍ଦୂର’ର ବ୍ୟାପକତା, ସଠିକତା ଓ ସାହସିକତାକୁ ଦର୍ଶାଉଛି ବୋଲି ମାଲବ୍ୟ ଲେଖିଛନ୍ତି।

ରାତି ସାଢ଼େ ୨ଟାରେ ମୁନିରଙ୍କ ଫୋନ୍‌: ହମ୍‌ଲା ହୋ ଗୟା

ଏହା ପୂର୍ବରୁ ପାକିସ୍ତାନ ଦାବି କରିଥିଲା ଯେ ତାଙ୍କ ଜେଏଫ୍-୧୭ ଲଢୁଆ ବିମାନ ପଞ୍ଜାବର ଆଦମପୁର ଏୟାର୍‌ବେସ୍‌ରେ ଏସ୍‌-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ୍‌କୁ ଧ୍ୱଂସ କରିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଘାଟି ଗସ୍ତ ପାକିସ୍ତାନର ଅପପ୍ରଚାର ଅଭିଯାନକୁ ଭାଙ୍ଗି ଦେଇଛି। ପାକିସ୍ତାନ ଏହା ମଧ୍ୟ ଦାବି କରିଛି ଯେ ଭାରତର ଆକ୍ରମଣ  ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି କରାଯାଇଛି। ତେବେ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଭୋଲାରି ଏୟାର୍‌ବେସ୍ ଆକ୍ରମଣରେ ୬ ଜଣ ବାୟୁସେନା ଯବାନ ନିହତ ହୋଇଛନ୍ତି। ଏହି ବୟାନ ଭାରତର ଦାବିକୁ ସମର୍ଥନ କରୁଛି ଯେ ଏହା ସାଧାରଣ ନାଗରିକଙ୍କୁ ନୁହେଁ, ସାମରିକ ସ୍ଥଳଗୁଡ଼ିକୁ ଟାର୍ଗେଟ୍ କରିଛି। ୪ ଦିନ ଧରି ସୀମାପାର ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାମରିକ ସଂଘର୍ଷର ଅନ୍ତ ଘଟାଇବା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ ତାରିଖରେ ଅସ୍ତ୍ରବିରତି ବୁଝାମଣା ହୋଇଥିଲା।