ପ୍ରାଧନମନ୍ତ୍ରୀ ରୂପେ ଶପଥ ନେବାର ଦିନକ ପରେ କରାଚି ଜେଲରେ ବନ୍ଦୀ ଥିବା ୨୭ ଭାରତୀୟ ଧୀବରଙ୍କୁ ମୁକ୍ତ କରିବେ ଇମ୍ରାନ୍‌ ଖାନ୍‌

କରାଚି (ପାକିସ୍ତାନ): ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ପରଦିନ ପାକିସ୍ତାନର କରାଚି ଜେଲରେ ବନ୍ଦୀ ଥିବା ୨୭ ଜଣ ଭାରତୀୟ ଧୀବରଙ୍କୁ ଜେଲରୁ ମୁକ୍ତ କରିବେ ବୋଲି ଘୋଷଣା କରିଛନ୍ତି। ଏସଂପର୍କରେ ପାକିସ୍ତାନ ପକ୍ଷରୁ ଭାରତ ସରକାରଙ୍କୁ ଆଧିକାରିକ ଭାବେ ଏକ ପତ୍ର ଜରିଆରେ ମଧ୍ୟ ଜଣାଇ ଦିଆ ଯାଇଛି।

ଭାରତ ସରକରଙ୍କୁ ପ୍ରଦାନ କରାଯାଇଥିବା ପତ୍ରରେ ପାକିସ୍ତାନ କହିଛି ଯେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଶପଥ ଗ୍ରହଣ କରିବା ପରଦିନ କରାଚି ଜେଲରେ ବନ୍ଦୀଥିବା ୨୭ ଜଣ ଭାରତୀୟ ଧୀବରଙ୍କୁ ଜେଲରୁ ମୁକ୍ତ କରାଯିବା ସହ ସେମାନଙ୍କୁ ଅଗଷ୍ଟ ୧୨ ତାରିଖରେ ସଡ଼କ ପଥରେ ଲାହୋର ନିଆଯିବ। ଲାହୋର ନେବା ବାଟରେ ସେମାନଙ୍କୁ କ’ଣ ଖାଇବାକୁ ଦିଆଯିବ ଓ କେଉଁ ଗାଡ଼ିରେ କରାଚିରୁ ଲାହୋର ନିଆଯିବ ସେସଂପର୍କରେ ପାକିସ୍ତାନ କର୍ତ୍ତୃପକ୍ଷ ଭାରତ ସରକାରଙ୍କୁ ପ୍ରଦାନ କରିଥିବା ଚିଠିରେ ସବିଶେଷ ଉଲ୍ଲେଖ କରିଛନ୍ତି। ପରେ ଅଗଷ୍ଟ ୧୩ ତାରିଖ ଦିନ, ପାକିସ୍ତାନର ସ୍ୱାଧୀନତା ଦିବସ ପାଳନର ଦିନକ ପୂର୍ବରୁ ସେମାନଙ୍କୁ ଓ୍ଵାଘା ବର୍ଡର ଠାରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। କେଉଁ ୨୭ ଜଣ ଭାରତୀୟ ଧୀବରଙ୍କୁ ପାକିସ୍ତାନ କରାଚି ଜେଲରୁ ମୁକ୍ତ କରୁଛି, ସେମାନଙ୍କ ନାମ ମଧ୍ୟ ଭାରତ ସରକାରଙ୍କୁ ଜଣାଇ ଦେଇଛି।

ଏମାନଙ୍କ ମଧ୍ୟରେ ସଂଖ୍ୟାଧିକ ଗୁଜୁରାଟ ଓ ଦିଉର ଧୀବର ବୋଲି ଜଣାପଡ଼ିଛି। ଗଭୀର ସମୁଦ୍ର ଭିତରେ ମାଛ ମାରୁଥିବା ବେଳେ ସେମାନେ ଅଜଣାତରେ ଭାରତୀୟ ଜଳସୀମା ଅତିକ୍ରମ କରି ପାକିସ୍ତାନ ଜଳସୀମା ମଧ୍ୟରେ ପ୍ରବେଶ କରିବା ପରେ ପକିସ୍ତାନର ନୌସେନା ହାତରେ ଗିରଫ ହୋଇ କରାଚି ଜେଲରେ ବନ୍ଦୀ ଜୀବନ ବିତାଉଥିଲେ।

ସମ୍ବନ୍ଧିତ ଖବର