ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ | ଆଜି ସେ ତାଙ୍କର ବିରୋଧୀ ତଥା କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି | ପୂର୍ବରୁ ସିଦ୍ଧୁଙ୍କର ପାକିସ୍ତାନ ସହ ଭଲ ସମ୍ପର୍କ ଥିବା ନେଇ ଅମରିନ୍ଦର ସିଂ କହିଆସିଥିବା ବେଳେ ଏବେ ପୁଣିଥରେ ପାକ ସହ ସିଦ୍ଧୁଙ୍କ ସୁସମ୍ପର୍କକୁ ନେଇ ସମାଲୋଚନା କରିଛନ୍ତି ଅମରିନ୍ଦର ସିଂ |
ସେ କହିଛନ୍ତି ଯେ, ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନରୁ ଏକ ମେସେଜ ଆସିଥିଲା । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋତେ ମେସେଜ କରିଥିଲେ ଏବଂ ଲେଖିଥିଲେ ଯେ, ଯଦି ଆପଣ ସିଦ୍ଧୁଙ୍କୁ ଆପଣଙ୍କ କ୍ୟାବିନେଟରେ ମନ୍ତ୍ରୀ କରିବେ ତେବେ ମୁଁ ଆପଣଙ୍କ ପାଖରେ ଚିରଋଣୀ ହୋଇ ରହିବି | ସେ ମୋର ଜଣେ ପୁରୁଣା ବନ୍ଧୁ | ତାଙ୍କୁ ସାମିଲ କରନ୍ତୁ ଏବଂ ଯଦି ସେ କାମ ନକରିବେ ତେବେ ତାଙ୍କୁ ବାହାର କରିଦେବେ | ତେବେ ଏହା ପ୍ରଥମ ଥର ନୁହେଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ସିଂ ଏବଂ ସିଦ୍ଧୁ ପରସ୍ପରକୁ ଟାର୍ଗେଟ କରିଆସିଛନ୍ତି |