ବିଶ୍ବ ସମୁଦାୟ ପାଖରୁ ସମର୍ଥନ ନ ମିଳିବା ପରେ ଭାରତ ବିରୋଧରେ ଅସ୍ତ୍ର ଉଠାଇବାକୁ କଶ୍ମୀର ବାସିନ୍ଦାଙ୍କୁ ଆହ୍ଵାନ ଦେଲେ ଇମ୍ରାନ୍‌

ଶ୍ରୀନଗର: କଶ୍ମୀର ମାମଲାରେ ବିଶ୍ବ ସମୁଦାୟ ନିକଟରୁ ଠୋସ୍ ସମର୍ଥନ ହାସଲ କରିବାରେ ବିଫଳ ହେବା ପ‌ରେ ଭାରତ ବିରୋଧରେ ପୁଣି ବିଷ ଓଗାଳିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଭାରତ ବିରୋଧରେ ଅସ୍ତ୍ର ଉଠାଇବାକୁ କଶ୍ମୀର ବାସିନ୍ଦାଙ୍କୁ ଆହ୍ଵାନ ଦେଇଛନ୍ତି ସେ । ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ରେ ଶୁକ୍ରବାର ସଂଧ୍ୟାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧନ କରି  ଇମ୍ରାନ ଖାନ୍‌ ଭାରତ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଭାରତୀୟ ସେନା ଦ୍ୱାରା ଜମ୍ମୁ-କଶ୍ମୀରରେ ମାନବାଧିକାରର ଉଲ୍ଲଂଘନ ହେଉଛି । ଏହି ରାଲି ଜରିଆରେ କଶ୍ମୀର ସମସ୍ୟାକୁ ଅନ୍ତର୍ଜାତୀୟସ୍ତରରେ ପ୍ରଘଟ କରିବା ତାଙ୍କ ଉଦ୍ଦେଶ୍ୟ ବୋଲି ମତ ରଖିଛନ୍ତି ଇମ୍ରାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଶ୍ମୀରରେ ବ୍ୟାପକ କଟକଣା ଜାରି କରିଛନ୍ତି ବୋଲି ସେ ବଖାଣିଛନ୍ତି।  ଏଥିସହ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ମୋଦୀଙ୍କ କଠୋରତାକୁ ସେ ନିନ୍ଦା କରିଥିଲେ।

photo-india tv

ଇମ୍ରାନ୍ ଆହୁରି ବି କହିଛନ୍ତି, ‘ସେ ପୂରା ବିଶ୍ୱ ସମ୍ମୁଖରେ କଶ୍ମୀରର ରାଜଦୂତ ଭାବେ କାର୍ଯ୍ୟ କରିବେ। ଜାତିସଂଘର ସାଧାରଣ ପରିଷଦ ବୈଠକରେ  ମୁଁ କଶ୍ମୀର ବାସିନ୍ଦାଙ୍କୁ ନିରାଶ କରିବି ନାହିଁ।’ ସେ ମୋଦୀଙ୍କ ଟାର୍ଗେଟ କରି କହିଛନ୍ତି ଯେ ଭାରତୀୟ ସେନା ଯେତେ ବି ହିଂସା ଉପୁଜାଉ ପଛେ କେବେ ବି ସଫଳ ହୋଇପାରିବ ନାହିଁ। ଭାରତ ଯଦି ନିଜ ପକ୍ଷରୁ କୌଣସି ଆକ୍ରମଣ କରେ ତେବେ ପାକିସ୍ତାନ ତା’ର ଉପଯୁକ୍ତ ଜବାବ ଦେବ।

ନିଜର ସମର୍ଥକମାନଙ୍କୁ ଖାନ୍‌ କହିଛନ୍ତି, ‘କଶ୍ମୀରର ଲୋକେ ଭାରତକୁ ବିରୋଧ କରିବେ। ବିଜେପି-ଆର୍‌ଏସ୍‌ଏସ୍‌ ବିରୋଧରେ ଅସ୍ତ୍ରଚାଳନା କରିବେ। ନିରୀହ କଶ୍ମୀରୀମାନଙ୍କର ମୋଦୀ ଧୈର୍ଯ୍ୟ ପରୀକ୍ଷା ନେଉଛନ୍ତି। ଆମେ ଶାନ୍ତି ଚାହୁଁ। ଭାରତୀୟ ସେନା ଦ୍ୱାରା ହେଉଥିବା ହିଂସାରେ ଆମେ ଥକି ଗଲୁଣି।’ ଏହା ବ୍ୟତୀତ ସେ ପୁଲଓ୍ଵାମା ଆକ୍ରମଣ ଓ ବାଲାକୋର୍ଟ ଏୟାର୍‌ ଷ୍ଟ୍ରାଇକ୍‌ ପ୍ରସଂଗ ମଧ୍ୟ ଉଠାଇଛନ୍ତି।

ସମ୍ବନ୍ଧିତ ଖବର