ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଛି । ବୁଧବାର ସକାଳ ୭.୩୦ ମିନିଟରେ ଦିଲୀପ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେବ ରୋଗରେ ପୀଡ଼ିତ ଥିଲେ । ଗୋଟିଏ ମାସ ହେବ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

Advertisment

ଦିଲୀପ କୁମାରଙ୍କ ମୃତ୍ୟୁ ଖବର ପାଇବା ପରେ ବଲିଉଡର ବହୁ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ,ସନି ଦେୱଲ ଭଳି କଳାକାର ମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଓ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଦିଲୀପ କୁମାରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଏଥିସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ଇମ୍ରାନ କହିଛନ୍ତି, ସେ ତାଙ୍କ ଉଦାରତାକୁ କେବେ ହେଲେ ଭୁଲି ପାରିବେ ନାହିଁ। ସେ ତାଙ୍କ ମା’ଙ୍କ ସ୍ମୃତିରେ କ୍ୟାନସର ହସ୍ପିଟାଲ ତିଆରି କରିବା ପାାଇଁ ସାହାଯ୍ୟ କରିଥିଲେ।

ଇମ୍ରାନ ଟୁଇଟ କରି ଲେଖିଛନ୍ତି, ‘ଦିଲୀପଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗିଲା। ଯେତେବେଳେ ଏସକେଏମସିଲଏଚ ପ୍ରକଳ୍ପ କରାଯାଇଥିଲା ସେ ପାଣ୍ଠି ଏକାଠି କରିବାର ବହୁତ ସାହାଯ୍ୟ କରିଥିଲେ। ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ପାଣ୍ଠି ଏକାଠି କରିବାର ପ୍ରାରମ୍ଭିକ ସମୟ ବହୁତ କଷ୍ଟ ଥିଲା।’

 ମୃତ୍ୟୁ ପରେ ଦିଲୀପଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ନିକଟକୁ ନିଆଯାଇଥିଲା । ତାଙ୍କୁ ଶେଷ ଦର୍ଶନ କରିବାକୁ ବହୁ କଳାକାର ସେଠାରେ ପହଞ୍ଚିଥିଲେ। ମୁମ୍ବାଇର ସାନ୍ତାକ୍ରୁଜ କବରସ୍ଥାନରେ ସନ୍ଧ୍ୟା ୫ ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପୂର୍ବରୁ ଖାରସ୍ଥିତ ତାଙ୍କ ବାସଭବନରେ ରାଜକୀୟ ସମ୍ମାନ ସହିତ ଅନ୍ତିମ ଯାତ୍ରା ଆରମ୍ଭ କରାଯାଇଥିଲା। ତାଙ୍କ ପାର୍ଥିବ ଶରୀରକୁ ଜାତୀୟ ପତକାରେ ଗୁଡ଼ାଇ ଆମ୍ବୁଲାନ୍ସ ଯୋଗେ ସାନ୍ତାକ୍ରୁଜ କବରସ୍ଥାନକୁ ନିଆଯାଇଥିଲା। ଆମ୍ବୁଲାନ୍ସକୁ ନେବା ପୂର୍ବରୁ ଓ କବରସ୍ଥାନରେ ତାଙ୍କୁ ମାଟି ଦେବା ପୂର୍ବରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।