ଭାରତ ଗସ୍ତ ପୂର୍ବରୁ ଜିନ୍‌ପିଙ୍ଗ୍‌ଙ୍କ ବୟାନ, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସ୍ବାର୍ଥକୁ ଗୁରୁତ୍ବ ଦେବୁ

ବେଜିଂ : ପାକିସ୍ତାନର ପରମ ମିତ୍ର ଚୀନ୍‌ କଶ୍ମୀର ପ୍ରସଙ୍ଗରେ ଏବେ ପୁଣି ଏହାର ଅସଲ ରୂପ ଦେଖାଇଛି। କଶ୍ମୀର ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଆମେ ଏହା ଉପରେ ସତର୍କ ନଜର ରଖିଛୁ ଏବଂ ପାକିସ୍ତାନର ମୂଳ ସ୍ବାର୍ଥ ରକ୍ଷା ପ୍ରତି ଆମେ ଗୁରୁତ୍ବ ଦେଇ କାର୍ଯ୍ୟ କରିବୁ ବୋଲି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ କହିଛନ୍ତି। ଆସନ୍ତା ୧୧ ତାରିଖରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ପୂର୍ବରୁ ଜିନ୍‌ପିଙ୍ଗ ଆଜି କହିଛନ୍ତି, ପାକିସ୍ତାନ ଏବଂ ଚୀନ୍‌ର ବନ୍ଧୁତା ଚଟାଣ ଭଳି ମଜବୁତ ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଚୀନ୍‌ ଗସ୍ତରେ ଥିବା ବେଳେ ଇମ୍ରାନ୍‌ଙ୍କ ଉପସ୍ଥିତିରେ ଜିନ୍‌ପିଙ୍ଗ୍‌ ଏଭଳି ବୟାନ ରଖିଛନ୍ତି। ଚୀନ୍‌ ଏବଂ ପାକିସ୍ତାନ ସବୁ ସମୟ ପାଇଁ ରଣନୀତିକ ସହଯୋଗୀ ବୋଲି ଦର୍ଶାଇ ଜିନ୍‌ପିଙ୍ଗ୍‌ କହିଛନ୍ତି, ଉଭୟ ଦେଶ ମଧ୍ୟରେ ବନ୍ଧୁତା ଆହୁରି ପ୍ରଗାଢ଼ହୋଇଛି ଏବଂ ଆଗମୀ ଦିନରେ ଦ୍ବିପାକ୍ଷିକ ସଂପର୍କ ଆହୁରି ବ୍ୟାପକ ହେବ। ଇମ୍ରାନ ଗତ ବର୍ଷ ଅଗଷ୍ଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଇତିମଧ୍ୟରେ ତିନି ଥର ଚୀନ୍‌ ଗସ୍ତ କରିସାରିଲେଣି।

ଚୀନ୍‌ ଜାତିସଂଘରେ ମଧ୍ୟ କଶ୍ମୀର ନେଇ ପାକିସ୍ତାନର ଆଭିମୁଖ୍ୟକୁ ସମର୍ଥନ କରିଥିବା ବେଳେ ଏବେ ପୁଣି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବାରୁ ଏହା ଭାରତ-ଚୀନ୍‌ ଦ୍ବିପାକ୍ଷିକ ସଂପର୍କକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି । ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚୀନ୍‌ ଭାରତର କଶ୍ମୀର ନୀତି ସଂପର୍କରେ ଭଲ ଭାବେ ଅବଗତ ଅଛି ଏବଂ ଏହା ଏକ ଆଭ୍ୟନ୍ତରୀଣ ମାମଲା ବୋଲି ସମଗ୍ର ବିଶ୍ବ ଜାଣିଛି। ଚୀନ୍‌ର ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୱି ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର କଡ଼ା ଜବାବ ଦେଇଥିଲା ଏବଂ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଚେତାଇ ଦେଇଥିଲା।

ସମ୍ବନ୍ଧିତ ଖବର