ପିଓକେରେ ର‍୍ୟାଲି: ମୋଦୀଙ୍କୁ କାପୁରୁଷ କହିଲେ ଇମ୍ରାନ୍‌

ଭାରତ ସହ ଅପ୍ରତ୍ୟାଶିତ ଯୁଦ୍ଧ ହୋଇପାରେ: ପାକ୍‌ ବିଦେଶ ମନ୍ତ୍ରୀ

ମୁଜାଫରାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ପାକ୍‌ ଅଧିକୃତ କଶ୍ମୀରର ମୁଜାଫରାବାଦରେ ଏକ ରୢାଲି କରି ଭାରତ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। କଶ୍ମୀରବାସୀଙ୍କ ସହିତ ପାକିସ୍ତାନ ସର୍ବଦା ଦୃଢ଼ ଭାବେ ରହିଛି ଏବଂ ‘ମୁଁ କହିଲେ ତୁମେମାନେ (ପିଓକେ ବାସିନ୍ଦା) କଶ୍ମୀରରେ ପଶିବ’ ବୋଲି ସେ କହିଛନ୍ତି। ଇମ୍ରାନ କହିଛନ୍ତି ଯେ କଶ୍ମୀରରେ ଭାରତ ସରକାର ଲୋକଙ୍କୁ ୪୦ ଦିନ ଧରି ଏକ ପ୍ରକାର ବନ୍ଦୀ କରି ରଖିଛନ୍ତି ଏବଂ ଘରୁ ବାହାରିବାକୁ ସୁଯୋଗ ଦେଉନାହାନ୍ତି। ମୋଦୀଙ୍କ ନାମ ନନେଇ ଇମ୍ରାନ କହିଥିଲେ କଶ୍ମୀରରେ ଲୋକଙ୍କ ମାନବାଧିକାର ଉଲ୍ଲଂଘନ ହୋଇଛି ଏବଂ କେବଳ ଜଣେ କାପୁରୁଷ ହିଁ ଏଭଳି ବର୍ବରତାର ସହିତ ପଦକ୍ଷେପ ନେଇପାରିବ। ଏବେ ୯ ଲକ୍ଷ ଭାରତୀୟ ସେନା କଶ୍ମୀରରେ ଅଛନ୍ତି ଏବଂ ସେମାନେ ଦମନ ନୀତି ଧରିଛନ୍ତି ବୋଲି ଇମ୍ରାନ କହିଛନ୍ତି। ଭାରତୀୟ ସେନାର ଅତ୍ୟାଚାରରେ ସାଧାରଣ ଜନତା ଛଟପଟ ହେଉଛନ୍ତି ଏବଂ ହିନ୍ଦୁ ଚରମପନ୍ଥୀ ସଂଗଠନର ସଦସ୍ୟ ନରେନ୍ଦ୍ର ମୋଦୀ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି। କଶ୍ମୀରକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ବୋଲି ଦର୍ଶାଇ ଇମ୍ରାନ କହିଛନ୍ତି ଯେ ଜାତିସଂଘର ନିରାପତ୍ତା ପରିଷଦ ଦୀର୍ଘ ୫୦ ବର୍ଷ ପରେ କଶ୍ମୀରକୁ ନେଇ ସ୍ବତନ୍ତ୍ର ଆଲୋଚନା କରିଛି ଏବଂ ବିଶ୍ବ ସମୁଦାୟ ଏହି ପ୍ରସଙ୍ଗକୁ ଅଣଦେଖା କରିପାରିବ ନାହିଁ।

ଭାରତ ସହ ଅପ୍ରତ୍ୟାଶିତ ଯୁଦ୍ଧ ହୋଇପାରେ: ପାକ୍‌ ବିଦେଶ ମନ୍ତ୍ରୀ
ଜେନେଭା: ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶି ପୁଣି ଥରେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଆଉ କଥାବାର୍ତ୍ତା କରିବା ସ୍ଥିତିରେ ନଥିବାରୁ ଯେ କୌଣସି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ‘ଅପ୍ରତ୍ୟାାଶିତ ଯୁଦ୍ଧ’ ହୋଇପାରେ ବୋଲି ସେ କହିଛନ୍ତି। ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଯୁଦ୍ଧରେ ଅବତୀର୍ଣ୍ଣ ହେଲେ ପ୍ରଳୟଙ୍କରୀ ସ୍ଥିତି ଉପୁଜିବ ବୋଲି ସେ କହିଛନ୍ତି। ବିଶ୍ବ ସମୁଦାୟ ଏବେ କଶ୍ମୀର ମାମଲାକୁ ଦ୍ବିପାକ୍ଷିକ ପ୍ରସଙ୍ଗ କହି ନିଜ ଦାୟିତ୍ବ ଏଡ଼ାଇ ଚାଲିଥିବାରୁ ଦିନକୁ ଦିନ ସ୍ଥିତି ଜଟିଳ ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର