ଇସଲାମାବାଦ୍: ପାକିସ୍ତାନରେ ଏବେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଅନାସ୍ଥା ପ୍ରସ୍ତାବ ଖାରଜ ସହ ପାର୍ଲାମେଣ୍ଟ ଭାଙ୍ଗିବା ଏବଂ ୩ମାସ ମଧ୍ୟରେ ସାନି ନିର୍ବାଚନ କରିବା ନିଷ୍ପତ୍ତି ଇମ୍ରାନଙ୍କ ବିରୋଧୀଙ୍କୁ ଦୋହଲାଇ ଦେଇଛି। ଏ ମଧ୍ୟରେ ଆଜି ପୁଣି ରାତି ୯ଟାରେ ଦେଶବାସୀଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ଫାତିମା ଜିନାହ ପାର୍କରେ ଆଜି ରାତି ୯ଟାରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିବେ।
ତେବେ ଏହା ପୂର୍ବରୁ ଲାହୋରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପୁଣି ଥରେ ଏକ ବିଦେଶୀ ଷଡ଼ଯନ୍ତ୍ର ବିଷୟରେ କହିଥିଲେ ଇମ୍ରାନ। ସେ କହିଥିଲେ ଯେ, ମୋର ସମସ୍ତ ସମର୍ଥକ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରୁହ। ଏଥର ମୁଁ ସ୍ୱାର୍ଥପର ଲୋକଙ୍କ ବଦଳରେ ଆନ୍ତରିକ ଏବଂ ଦେଶ ପାଇଁ ବଳିଦାନ ଦେଇପାରୁଥିବା କର୍ମୀଙ୍କୁ ଆଗକୁ ଆଣିବି। ୩ମାସ ପରେ ହେବାକୁ ଥିବା ନିର୍ବାଚନ ପରେ ଯେଉଁମାନେ ବିଦେଶୀ ଷଡଯନ୍ତ୍ର ସହ ସାମିଲ ଥିଲେ ସେମାନଙ୍କୁ ଉଚିତ ଶିକ୍ଷା ଦେବି।
ସେ ଆହୁରି କହିଥିଲେ ଯେ, ପାକିସ୍ତାନରେ ଇମ୍ରାନ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ସେମାନେ ଆମ ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କ ଟଙ୍କା ବିଦେଶରେ ରଖାଯାଇଛି। ସେମାନେ ବିଦେଶୀ ସରକାରଙ୍କ ଦାସ ହୋଇପାରନ୍ତି କିନ୍ତୁ ଆମ ନୁହେଁ। ଆମେ କାହାର ଦାସତ୍ୱ କରୁନାହୁଁ। ସବୁ ଚେଷ୍ଟା କରିବା ପରେ ବି ସେମାନେ ଜିତିପାରିନାହାନ୍ତି। ୩ମାସ ପରେ ହେବାକୁ ଥିବା ନିର୍ବାଚନରେ ଆମେ ପୁଣି ସେମାନଙ୍କୁ ହରାଇବା।