ପୁଞ୍ଚ୍‌ରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଳଂଘନ, ଇମ୍ରାନ-ବାଜୱାଙ୍କ ଏଲ୍‌ଓସି ଗସ୍ତ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ପାକ୍ ସେନା ଆଜି ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପ୍ରତିରକ୍ଷା ମୁଖପାତ୍ରଙ୍କ ସୂତ୍ରରୁ ଜଣାପଡ଼ିଛି ‌ଯେ ଆଜି ସକାଳ ପ୍ରାୟ ୭.୪୫ରେ ପାକ୍‌ ସେନା ଦ୍ବାର‌ା କ୍ରିଷ୍ଣା ଘାଟି ସେକ୍ଟରର ସୀମାନ୍ତ ଗ୍ରାମ ଏବଂ ଆଗୁଆ ଘାଟି ଗଡ଼ିକୁ ଟାର୍ଗେଟ୍‌ କରି ଗୁଳିଗୋଳା ମାଡ଼ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଜବାବ ଦେଇ ପ୍ରବଳ ଗୁଳି ବର୍ଷା ହୋଇଥିଲା। ତେବେ ପାକ୍‌ ସେନାର ଗୁଳିମାଡ଼ରେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ୧ ତାରିଖରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ସହିଦ ହୋଇ ଯାଇଥିଲେ। ଗତ ଜୁଲାଇଠାରୁ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଳଂଘନ ଦ୍ବାରା ଉଭୟ ପୁଞ୍ଚ୍‌ ଏବଂ ରାଜ‌ୌରିରେ ୬ ଯବାନ ଏବଂ ୨ ସାଧାରଣ ନାଗରିକଙ୍କ ସମେତ ସମୁଦାୟ ୮ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ସହ ଏଲ୍‌ଓସି ଗସ୍ତ କରିଥିବା ଜଣାପଡ଼ିଛି। ପାକିସ୍ତାନର ପ୍ରତିରକ୍ଷା ଏବଂ ସହିଦ ଦିବସ ଉପଲକ୍ଷେ ଇମ୍ରାନ୍‌ ସେନାମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟ୍ଟକ, ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁ‌ରେଶି ଏବଂ କଶ୍ମୀର ସଂକ୍ରାନ୍ତ ସ୍ବତନ୍ତ୍ର କମିଟି ଅଧ୍ୟକ୍ଷ ସୟଦ ଫଖର ଇମାମ୍‌ଙ୍କ ସହ ଏଲ୍‌ଓସି ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର