ଲାହୋର: ପାକିସ୍ତାନରେ ଚଳିତ ବର୍ଷ ଗହମ ଉତ୍ପାଦନ ପ୍ରାୟ ୩୦ ଲକ୍ଷ ଟନ୍ କମ୍ ହେବ ବୋଲି ଆକଳନ କରାଯାଇଛି। ଏଭଳି ପରିସ୍ଥିତିରେ ଗହମର ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ଅଛି | ଏହାକୁ ନେଇ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଅଟା ମହଙ୍ଗା ହେବାକୁ ଦେବେ ନାହିଁ। ଯଦି ପରିସ୍ଥିତି ପଡେ ସେ ନିଜ ପୋଷାକ ବିକିଦେବେ ପଛେ, କିନ୍ତୁ ଅଟା ମୂଲ୍ୟ ମହଙ୍ଗା ହେବାକୁ ଦେବେ ନାହିଁ | ଖାଇବର ପାଖ୍ତୁନଖୱାରେ ପାକିସ୍ତାନ ମୁସଲିମ ଲିଗ ନୱାଜର ଏକ ସାଧାରଣ ସଭାରେ ଉଦବୋଧନ ଦେଇ ସରିଫ ଅଟା ମୂଲ୍ୟ ହ୍ରାସ କରିବାକୁ ପ୍ରତିଶୃତି ଦେଇଛନ୍ତି।

Advertisment

ସରିଫ ଘୋଷଣା କରିଛନ୍ତି ଯେ ପ୍ରଦେଶରେ ଅଟା ମୂଲ୍ୟ କିପରି ହ୍ରାସ କରାଯିବ ସେ ଜାଣିଛନ୍ତି। ନିଜ ଖର୍ଚ୍ଚରେ ଅଟା ଦର ହ୍ରାସ କରିବାକୁ ସେ ପ୍ରାଦେଶିକ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଶନିବାର କହିଛି ଯେ ଗହମ ଉତ୍ପାଦନ ୨୮.୮୯ ମିଲିୟନ ଟନ୍ ଲକ୍ଷ୍ୟ ରଖାଯାଇଥିବାବେଳେ ଚଳିତବର୍ଷ ୨୬.୧୭୩ ମିଲିୟନ ଟନ୍ ଗହମ ଉତ୍ପାଦନ ହୋଇପାରେ | ଅନ୍ୟପଟେ କିନ୍ତୁ ଗହମର ଆନୁମାନିକ ବ୍ୟବହାର ପ୍ରାୟ ୩୦.୭୯ ନିୟୁତ ଟନ୍ ହେବ। ତେଣୁ ଗହମ ମୂଲ୍ୟ ବୃଦ୍ଧି ପାଇପାରେ |

ଏହି ଅବସରରେ ସରିଫ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସରକାରଙ୍କୁ ସମାଲୋଚନା କରିଥିଲେ। ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପରିବର୍ତ୍ତେ ଦେଶଦ୍ରୋହୀ ଓ ସରକାରଙ୍କ ବିଶ୍ୱସ୍ତମାନଙ୍କୁ ଅଧିକ ଅନୁକମ୍ପା ଦେଖାଇଛନ୍ତି | ଇତିହାସରେ ପିଟିଆଇ ସରକାର ସର୍ବାଧିକ ଋଣ ପାଇଥିଲେ ମଧ୍ୟ ବିକାଶ ଏବଂ ଜନ କଲ୍ୟାଣ ପ୍ରକଳ୍ପରେ କିଛି ବିନିଯୋଗ କରିନଥିଲେ।