ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶେହବାଜ୍ ଏହି ପ୍ରଶଂସା ତାଙ୍କର ଇସଲାମାବାଦ କାର୍ଯ୍ୟାଳୟରୁ ନୁହେଁ; ବରଂ ମିଶରରେ ହେଉଥିବା ଗାଜା ଶାନ୍ତି ସମ୍ମିଳନୀରେ କରିଛନ୍ତି।
ଶେହବାଜ୍ ମନେ ପକାଇଦେଲେ ଯେ ଟ୍ରମ୍ପ୍ଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପାକିସ୍ତାନ ହିଁ ମନୋନୀତ କରିଛି। ତା'ପରେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିବା ଟ୍ରମ୍ପଙ୍କୁ ମିଥ୍ୟା ଶ୍ରେୟ ବି ଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଟ୍ରମ୍ପଙ୍କ ପ୍ରଶଂସା ଏତେ ଜୋରଦାର ଥିଲା ଯେ ସେଠାରେ ଉପସ୍ଥିତ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ମଧ୍ୟ ନିଜ ମୁହଁରେ ହାତ ରଖି ନିରବରେ ଶୁଣୁ୍ଥିଲେ। ତାଙ୍କ ମୁହଁରେ ଆଶ୍ଚର୍ଯ୍ୟର ଏକ ଝଲକ ଦେଖାଯାଉଥିଲା।
ଶେହବାଜ କହିଥିଲେ, ‘‘ମୁଁ ପୁଣିଥରେ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରିବାକୁ ଚାହେଁ।" ପ୍ରଥମେ ପ୍ରଧାନମନ୍ତ୍ରୀ ଶେହବାଜ ଶାନ୍ତି ଚୁକ୍ତିନାମା ସୁନିଶ୍ଚିତ କରିବା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବା ଆରମ୍ଭ କଲେ। "ଆଜି ସମସାମୟିକ ଇତିହାସର ସବୁଠାରୁ ମହାନ ଦିନ ମଧ୍ୟରୁ ଗୋଟିଏ; କାରଣ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଅକ୍ଳାନ୍ତ ପ୍ରୟାସ ପରେ ଶାନ୍ତି ହାସଲ କରାଯାଇଛି, ଯିଏ ପ୍ରକୃତରେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି। ଯିଏ ଏହି ବିଶ୍ୱକୁ ଶାନ୍ତି ଏବଂ ସମୃଦ୍ଧିରେ ରଖିବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ବୋଲି ଶେହବାଜ୍ କହିଥିଲେ।