ଲାହୋର: ଟ୍ବେଣ୍ଟି-୨୦ ବିଶ୍ବକପ୍ ବିବାଦରେ ଲମ୍ପ ମାରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ। ବାଂଲାଦେଶକୁ ସମର୍ଥନ କରି ପୁଣି ଥରେ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି। ଆଇସିସି ଓ ବିସିସିଆଇକୁ ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି ସେ। ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ନେଇ ପିସିବି କୌଣସି ଆନୁଷ୍ଠାନିକ ମନ୍ତବ୍ୟ ଜାରି କରିବା ପରିବର୍ତ୍ତେ ଆଶ୍ଚର୍ଯ୍ୟଜନକ ଭାବେ ପାକିସ୍ତାନ ସରକାର ଟ୍ବିଟ୍ ମଧ୍ୟମରେ ଏହାର ସୂଚନା ଦେଇଥିଲେ, ଯାହା କ୍ରିକେଟ୍ ଦୁନିଆ ପାଇଁ ସମ୍ଭବତଃ ପ୍ରଥମ ଘଟଣା। ଏହା ସତ୍ତ୍ବେ ସରିଫ ଅଭ୍ୟାସଗତ ଭାବେ ଏଥିଲାଗି ଭାରତକୁ ଦାୟୀ କରିଛନ୍ତି। ଭାରତ ବିରୋଧରେ କ୍ରିକେଟ୍କୁ ରାଜନୀତି ସହ ଯୋଡ଼ୁଥିବାର ଅଭିଯୋଗ ଆଣିଛନ୍ତି। ତା’ ସହ ବାଂଲାଦେଶ କ୍ରିକେଟ୍ ଦଳକୁ ବିଶ୍ବକପ୍ରୁ ବାହାର କରି ଆଇସିସି ଦୋମୁହାଁ ନୀତି ଅନୁସରଣ କରୁଛି। ବିସିସିଆଇର ଦାଦାଗିରିକୁ ସମର୍ଥନ କରି ବିଶ୍ବ କ୍ରିକେଟ୍ ପାଇଁ ଆଇସିସି ବିପଦ ସୃଷ୍ଟି କରୁଥିବା ଭଳି ଅଭିଯୋଗ ମଧ୍ୟ କରିଛନ୍ତି ଶହବାଜ।
କାରଣ ଖେଳ ପଡ଼ିଆରେ ରାଜନୀତିର କୌଣସି ସ୍ଥାନ ନାହିଁ
‘ଏକ୍ସ’ରେ ପ୍ରକାଶ କରିଥିବା ଭିଡିଓରେ ସେ କହିଛନ୍ତି, "ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ନେଇ ଆମେ ଆମ ଅଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛୁ। ଆମେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବୁନି। କାରଣ ଖେଳ ପଡ଼ିଆରେ ରାଜନୀତିର କୌଣସି ସ୍ଥାନ ନାହିଁ।" ଏହି ଭିଡିଓରେ ଶାହବାଜ ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସମ୍ବୋଧନ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ସେ ଆହୁରି କହିଛନ୍ତି, "ଆମେ ଏକ ସନ୍ତୁଳିତ ଅଭିମୁଖ୍ୟ ନେଇଛୁ। ବାଂଲାଦେଶ ପଛରେ ଦୃଢ଼ ଭାବରେ ଛିଡ଼ା ହୋଇଛୁ। ମୋ ମତରେ ଏହା ଏକ ଅତ୍ୟନ୍ତ ପ୍ରଶଂସନୀୟ ନିଷ୍ପତ୍ତି।" ସେପଟେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଏକ ସାକ୍ଷାତକାରରେ ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଅତୀତର ଅନେକ ଦଳ ବିଶ୍ବକପ୍ର ମ୍ୟାଚ୍ ବର୍ଜନ କରିଛନ୍ତି। ଇଂଲଣ୍ଡ ମଧ୍ୟ ଏକଦା ଜିମ୍ବାୱେ ବିପକ୍ଷ ମ୍ୟାଚ୍ ଖେଳି ନଥିଲା। ଏଣୁ ପାକିସ୍ତାନ ନେଇଥିବା ନିଷ୍ପତ୍ତିରେ କୌଣସି ତ୍ରୁଟି ଥିଲା ଭଳି ମୋତେ ଲାଗୁନି ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ: We Can't live without Koreans: କ୍ଷମା କରିଦେବ ବାପା... କୋରିଆନଙ୍କ ବିନା ବଞ୍ଚିପାରିବୁନି, ତିନି ଭଉଣୀଙ୍କ ସୁଇସାଇଡ୍ ନୋଟରୁ ବଡ଼ ଖୁଲାସା
ଅନ୍ୟପକ୍ଷରେ, ବାଂଲାଦେଶ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରୁଥିବା ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ କହିଛନ୍ତି। ହେଲେ ପାକିସ୍ତାନ ଏଭଳି ନିଷ୍ପତ୍ତି ଯାହାପାଇଁ ନେଇଛି, ସେ ଏଥିରେ ବିଶେଷ ଖୁସି ଥିବା ଭଳି ମନେ ହେଉନି। ଏଠାରେ ଆମେ ବାଂଲାଦେଶ କଥା କହୁଛୁ। ସୂଚନା ଅନୁସାରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଗୋଟିଏ ଗୋଷ୍ଠୀ ପାକିସ୍ତାନର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପାକିସ୍ତାନ କାହିଁକି ଏଭଳି କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସେମାନେ। ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହେଲେ ଆଇସିସି ୫୦୦ ନିୟୁତ ଡଲାର ବା ପାଖାପାଖି ୪୫୦୦ କୋଟି ଟଙ୍କାର ରାଜସ୍ବ ହରାଇବ। ଫଳରେ ଆଇସିସିଠାରୁ ଆମେ ପାଉଥିବା ବାର୍ଷିକ ଅନୁଦାନରେ ଯଥେଷ୍ଟ ହ୍ରାସ ପାଇବ। ଏଥିଲାଗି ଆମ ବିସ୍ତୃତ କ୍ରିକେଟ୍ ଭିତ୍ତିଭୂମିର ରକ୍ଷଣାବେକ୍ଷଣ, ଖେଳାଳିଙ୍କ ଦରମା ତଥା ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ଆମ ପାଇଁ କଷ୍ଟକର ହୋଇଯିବ। ପାକିସ୍ତାନ ତା’ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ବିସିବିର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖିଛନ୍ତି କହିଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ମୁଖ୍ୟ ନଜମ ସେଠୀ ଏହି ମାମଲାର ସମାଧାନ ପାଇଁ ଏକ ବିତର୍କିତ ବାଟ ବତାଇଛନ୍ତି। ବାଂଲାଦେଶକୁ ପୁନର୍ବାର ବିଶ୍ବକପ୍ରେ ସାମିଲ କଲେ ସବୁ ମାମଲାର ସମାଧାନ ହୋଇଯିବ ବୋଲି ଏକ ଭାରତୀୟ ଟେଲିଭିଜନ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ କହିଛନ୍ତି ସେ।
ଆହୁରି ପଢ଼ନ୍ତୁ: Wife Kills Husband: ସୋନମଙ୍କ ପରେ ଅଞ୍ଜୁ: ବିବାହର ତିନି ମାସ ପରେ ସ୍ବାମୀଙ୍କ ଗଳା କାଟିଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/05/pakistan-pm-jumps-into-controversy-2026-02-05-15-37-11.jpeg)