ନୂଆଦିଲ୍ଲୀ: ଆଜି ପାକିସ୍ତାନର ବାଲୋଚିସ୍ତାନ ନିକଟ କ୍ବେଟ୍ଟାର ବାଲେଇ ଅଞ୍ଚଳରେ ଗୋଟାଏ ପୁଲିସ ଟ୍ରକ୍କୁ ଟାର୍ଗେଟ୍ କରି ସଂଗଠିତ ଆତ୍ମଘାତୀ ବିସ୍ଫୋରଣରେ ଜଣେ ପୁଲିସ ଓ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା କ୍ବେଟ୍ଟା ପୁଲିସ ଡେପୁଟି ଇନ୍ସ୍ପେକ୍ଟର୍ ଜେନେରାଲ୍ ଗୁଲାମ ଅଜ୍ଫର୍ ମାହେସର୍ କହିଛନ୍ତି।
ଏହି ବିସ୍ଫୋରଣ ଯୋଗୁଁ ୨୦ଜଣ ପୁଲିସ ଅଫିସର୍ଙ୍କ ସମେତ ଆଉ ୨୪ଜଣ ଆହତ ହୋଇଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ବିସ୍ଫୋରଣସ୍ଥଳରେ ଥିବା ସରକାରୀ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି, ପୁଲିସ ଟ୍ରକ୍ ନିକଟରେ ବିସ୍ଫୋରଣ ଘଟିଛି। ପୁଲିସ କର୍ମଚାରୀମାନଙ୍କୁ ସୁରକ୍ଷା ଦେବାକୁ ଯାଉଥିବା ଉକ୍ତ ଟ୍ରକ୍ ବିସ୍ଫୋରଣ ଯୋଗୁଁ ଓଲଟି ଖାତରେ ପଡ଼ିଯାଇଛି। ଏହି ବିସ୍ଫୋରଣ ଯୋଗୁଁ ପୁଲିସ ଟ୍ରକ୍ ସମେତ ଗୋଟାଏ ସୁଜୁକି ମେହ୍ରାନ୍ ଏବଂ ଗୋଟାଏ ଟୋୟୋଟା କରୋଲା ନଷ୍ଟ ହୋଇଯାଇଛି। ଏହି ବିସ୍ଫୋରଣରେ ପ୍ରାୟ ୨୫ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିବା ପାରିପାର୍ଶ୍ବିକ ପରିସ୍ଥିତିକୁ ଲକ୍ଷ୍ୟ କଲେ ମନେହେଉଛି।
Image Courtesy of The Express Tribuneଆଜିର ଏହି ବିସ୍ଫୋରଣ ପାଇଁ ନିଷିଦ୍ଧ ଘୋଷିତ ‘ତେହ୍ରୀକ୍-ଇ-ତାଲିବାନ୍ ପାକିସ୍ତାନ’ ଦାୟୀ ବୋଲି ଘୋଷଣା କରିଥିବା କଥା ‘ଡନ୍’ ରିପୋର୍ଟ କରିଛି।
ଚିକିତ୍ସା ନିମନ୍ତେ ଆହତମାନଙ୍କୁ କ୍ବେଟ୍ଟାସ୍ଥିତ ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଥିବା କଥା ସେ କହିଛନ୍ତି। ମୃତ ସାଧାରଣ ନାଗରିକଦ୍ବୟ ହେଲେ ଜଣେ ପିଲା ଓ ଜଣେ ମହିଳା।
ବିସ୍ଫୋରଣସ୍ଥଳକୁ କର୍ଡନ୍ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା କଥା କ୍ବେଟ୍ଟା ପୁଲିସର ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ୍ ଅବ୍ଦ୍ଦୁଲ୍ ହକ୍ ଉମ୍ରାନି ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/blast-2.jpg)