ପାକ ରାଷ୍ଟ୍ରପତିଙ୍କ ବିଷୋଦଗାର : ଭାରତ ଯଦି ଯୁଦ୍ଧ କରିବ ତେବେ ଆମେ ଏହାର ଜବାବ ଜେହାଦରେ ଦେବୁ

ଇସଲାମାବାଦ:  ଆଜି ତା’ର ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତକୁ ନାଲିଆଖି ଦେଖାଇଛି ପଡୋଶୀ ପାକିସ୍ତାନ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ରାଷ୍ଟ୍ରପତି କହିଛନ୍ତି ଭାରତ ଜମ୍ମୁକଶ୍ମୀରରେ ନେଉଥିବା ପଦକ୍ଷେପ ବନ୍ଦ କରୁ । ନଚେତ୍ ଜେହାଦ ଜରିଆରେ ଏହାର ଜବାବ ଦିଆଯିବ। ଆଜି ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନ ଭାରତକୁ ନିନ୍ଦା କରିଛି । ପାକିସ୍ତାନ ରାଷ୍ଟ୍ରପତି ଡ. ଆରିଫ୍ ଅଲବୀ ଭାରତ ବିରୋଧରେ  ଦେଇଛନ୍ତି ଜେହାଦର ଧମକ । ଏଥିସହ ସେ କହିଛନ୍ତି, ଆମେ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ଭାରତ ଯଦି ଯୁଦ୍ଧ କରିବ ତେବେ ଆମେ ଜେହାଦରେ ଏହାର ଜବାବ ଦେବୁ । ଏହା ଛଡା ପାକିସ୍ତାନ ପାଖରେ ଅନ୍ୟ କିଛି  ବିକଳ୍ପ ନାହିଁ।

ସ୍ୱାଧୀନତା  ଦିବସ ପାଳନ ଅବସରରେ ପାକ୍ ରାଷ୍ଟ୍ରପତି କହିଛନ୍ତି, ଏବେ ସାରା ବିଶ୍ୱ ଦେଖୁଛି ପାକିସ୍ତାନ, କଶ୍ମୀର ଜନତାଙ୍କ ସହିତ ଛିଡା ହୋଇଛି ଆଉ କଶ୍ମୀର ଲୋକଙ୍କ ସୁଖଦୁଃଖରେ ସାଥୀ ଦେବାକୁ ଚାହେଁ । ତେଣୁ ଆମେ କଶ୍ମୀରବାସୀଙ୍କୁ ସହାୟତା ଦେବାକୁ କେବେ ବି ପଛାଇବୁ ନାହିଁ । ଏହି ଅବସରରେ ଭାରତ ଜମ୍ମୁକଶ୍ମୀରକୁ ନେଇ ଉଠାଇଥିବା ପଦକ୍ଷେପ ମିଳିତ ଜାତିସଂଘର ନିୟମର ଉଲଂଘନ ବୋଲି ଯୁକ୍ତି ବାଢିଛନ୍ତି ପାକ୍ ରାଷ୍ଟ୍ରପତି । ଗୋଟିଏ ପଟେ ଚୀନ୍, ଆମେରିକା, ଋଷ ପରି ବିଶ୍ୱଶକ୍ତି କଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ ଦେଉ ନ ଥିବା ବେଳେ, ପାକ୍ ରାଷ୍ଟ୍ରପତିଙ୍କ ଭାରତକୁ ଜେହାଦର ଧମକ ଆସିଛି ।

ସମ୍ବନ୍ଧିତ ଖବର