ଭାରତ ସରକାରଙ୍କୁ ପାକିସ୍ତାନର ପ୍ରସ୍ତାବ: କୁଳଭୂଷଣଙ୍କୁ ପତ୍ନୀ ଭେଟିପାରିବେ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି କୂଟନୈତିକ ଅଚଳାବସ୍ଥା ପରେ  ପାକିସ୍ତାନ ସାମରିକ ଅଦାଲତ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇଥିବା ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲା ଏବେ ନୂଆ ମୋଡ଼ ନେଇଛି । କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ  ମାମଲାରେ  ଡିସେମ୍ବରରୁ   ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ପୁଣି ଶୁଣାଣି ଆରମ୍ଭ ହେବାକୁ ଥିବା ବେଳେ ଆଜି ଅଚାନକ ପାକିସ୍ତାନ ଏ ବାବଦରେ ନିଜ ଆଭିମୁଖ୍ୟ ନରମ କରିଛି। ପାକିସ୍ତାନ ସରକାର ଇସଲାମାବାଦ ସ୍ଥିତି ଭାରତୀୟ ହାଇକମିସନଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖି କୁଳଭୁଷଣଙ୍କୁ ଭେଟିବା ପାଇଁ ତାଙ୍କ ପତ୍ନୀଙ୍କୁ ଅନୁମତି ମିଳିବ ବୋଲି କହିଛନ୍ତି। ମାନବିକତା ଦୃଷ୍ଟିକୋଣରୁ ପାକିସ୍ତାନ ଏଭଳି ସୁଯୋଗ ଦେବାକୁ ପ୍ରସ୍ତୁତ ରହିଛି ବୋଲି ପାକ୍‌ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ପତ୍ରରେ କୁହାଯାଇଛି। କୁଳଭୂଷଣଙ୍କୁ ତାଙ୍କ ପତ୍ନୀ ସାକ୍ଷାତ କରିପାରିବେ ବୋଲି ପାକ୍‌ ସରକାରଙ୍କ ପ୍ରସ୍ତାବ ପରେ ଏ ନେଇ ଭାରତୀୟ ହାଇକମିସନ ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ବରୁ କୁଳଭୂଷଣଙ୍କୁ ସାକ୍ଷାତ ସୁଯୋଗ ଦେବାକୁ ଭାରତ ପକ୍ଷରୁ ତୁହାକୁ ତୁହା ଅନୁରୋଧ ସତ୍ତ୍ୱେ ପାକିସ୍ତାନ କର୍ଣ୍ଣପାତ କରୁନଥିଲା। ଏଭଳି ସ୍ଥିତିରେ କୁଳଭୂଷଣ ଜୀବିତ ଅଛନ୍ତି କିମ୍ବା ତାଙ୍କୁ ଫାଶୀ ଦିଆଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇପାରୁନଥିଲା।

କୁଳଭୂଷଣ ମାମଲାରେ ଆଇସିଜେରେ ଗତମାସରେ ଭାରତ ତା’ର ଦଲିଲ ଉପସ୍ଥାପନ କରିବା ପରେ ଡିସେମ୍ବର ୧୩ ସୁଦ୍ଧା ପାକିସ୍ତାନକୁ ଦଲିଲ ଉପସ୍ଥାପନ କରିବା ପାଇଁ ଆଇସିଜେ ସମୟ ଦେଇଛନ୍ତି। ଏହାକୁ ନେଇ ପାକ୍‌ ସରକାର ଓ ସେନା ତତ୍ପର ହୋଇଉଠିଛି। ପାକ୍‌ ଏଟର୍ଣ୍ଣି ଜେନେରାଲ ଅସ୍ତର ଅସଫ୍‌ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏ ବାବଦ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଅଚାନକ ପାକିସ୍ତାନ ସରକାର ତାଙ୍କ ଆଭିମୁଖ୍ୟ ବଦଳାଇ କୁଳଭୂଷଣଙ୍କୁ ସାକ୍ଷାତ ଅନୁମତିକୁ ମଂଜୁର କରିଛନ୍ତି।    କୁଳଭୂଷଣଙ୍କ କ୍ଷମା ଆବେଦନ ଏବେ ସେନା ମୁଖ୍ୟଙ୍କ ନିକଟରେ ବିଚାରାଧୀନ ରହିଛି। ଏ ବାବଦରେ ପାକିସ୍ତାନ କୌଣସି ନିଷ୍ପତ୍ତି ନେଉନାହିଁ। ଆଇସିଜେରେ ଭାରତ ଉପସ୍ଥାପନ କରିଥିବା ଦଲିଲ୍‌ରେ କୁହାଯାଇଛି ଯେ କୁଳଭୂଷଣଙ୍କୁ ପାକସ୍ତାନ ଇରାନ୍‌ରୁ ଅପହରଣ କରି ଭାରତକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଛି ଏବଂ ତାଙ୍କ ବିରୋଧରେ ଗୁପ୍ତଚରଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ  ସଂପୃକ୍ତି ନେଇ ମିଥ୍ୟା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଦେଇଛି। ପାକିସ୍ତାନ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରି ଜଣେ ପୂର୍ବ ସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିପାରିବ ନାହିଁ ବୋଲି  ଭାରତ  ଦୃଢ଼ ଯୁକ୍ତି ଉପସ୍ଥାପନ କରିଛି। ପୂର୍ବରୁ ଏହି ମାମଲାରେ ଅନ୍ତର୍ଜାତୀୟ ଅଦାଲତ ତାଙ୍କ ରାୟରେ  ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଉପରେ ରୋକ୍‌ ଲଗାଇଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

କୁଳଭୂଷଣ ଯାଦବଙ୍କୁ  ୩ ମାର୍ଚ, ୨୦୧୬ରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇରାନରୁ ଗିରଫ କରିଥିଲା।  ସେ ବେଆଇନ ଭାବେ ପାକିସ୍ତାନରେ ପଶିବାକୁ ଉଦ୍ୟମ କରୁଥିବା ଦର୍ଶାଇ ପାକିସ୍ତାନ ତାଙ୍କୁ ଗିରଫ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗ କରିଥିଲା। କୁଳଭୂଷଣଙ୍କୁ ଭାରତର ବିଦେଶୀ ଗୁଇନ୍ଦା ସଂସ୍ଥା ‘ର’ର ଏଜେଣ୍ଟ ବୋଲି ପାକିସ୍ତାନ ଦର୍ଶାଇଥିଲା।

ସମ୍ବନ୍ଧିତ ଖବର